ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନାଞ୍ଚଳ ଅଧୀନସ୍ଥ ସ୍ଥାନୀୟ ଧାନବିଲଠାରେ ସଇଁନ୍ତଲା ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ନବୀନ ଛକ ନିକଟରେ କିଛି ଯୁବକ ଧାନ ବିଲରେ ଏକ ବଜ୍ରକାପ୍ତା ଗାତ ଭିତରୁ ବାହାରି ବୁଲୁଥିବାର ଦେଖିଥିଲେ। ପରେ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ସଇଁନ୍ତଲା ରେଞ୍ଜର ରାଜକିଶୋର ହରପାଳ ଆସି ବଜ୍ରକାପ୍ତାକୁ ଉଦ୍ଧାର କରି ବଡ଼ମାଲ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବଜ୍ରକାପ୍ତାଟି ୧୨ରୁ ୧୪ କେଜି ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।