ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ପୁଲିସ ୨ଟି ପୃଥକ ଚୋରି ଅଭିଯୋଗରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଜଣକ ହେଲେ ସାହାରପଡ଼ାର ସାଗର ବେହେରାଙ୍କ ପତ୍ନୀ ଶିବାନୀ ବେହେରା(୨୨)। ଶିବାନୀ ଗତ ମେ’ ମାସ ୨୯ ତାରିଖ ପାଟଣା ମୁଖ୍ୟାଳୟ ଶିବନାରାୟଣପୁରର ପୂର୍ଣ୍ଣ ଚନ୍ଦ୍ର ମହାନ୍ତିଙ୍କ ଘରେ କେହି ନଥିବା ସମୟରେ ଦିନ ଦ୍ୱିପ୍ରହରରେ ୨ଟି ଦାମୀ ମୋବାଇଲ ଫୋନ ଚୋରି କରି ନେଇଥିଲେ। ଏନେଇ ପୂର୍ଣ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୋବାଇଲକୁ ଟ୍ରାକିଂ କରି ମହିଳାଙ୍କ ଘରେ ପହଞ୍ଚି ତାଙ୍କଠାରୁ ୨ଟି ମୋବାଇଲ ଫୋନ ଜବତ କରିଥିଲା।
ସେହିପରି ବାଉଁଶଡ଼ିହା ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଘରୁ ବତକ, କୁକୁଡ଼ା ଓ ସାଇକେଲ ଚୋରି ଅଭିଯୋଗରେ ଦୁର୍ଗାଦେଇପୁର ଗ୍ରାମର ମାନସ କୁମାର ବେହେରା (୩୫)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ୨୦୨୦ ନଭେମ୍ବର ୧୪ରେ ମାନସ ଏବଂ ତାଙ୍କ କିଛି ସାଙ୍ଗ ମିଶି ଯୋଜନା କରି ରମେଶଙ୍କ ଘରୁ ଚୋରି କରିଥିଲେ। ପୂର୍ବରୁ ବତକ ସାଇକେଲ ଓ କୁକୁଡ଼ା ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଗୁରୁବାର ମାନସକୁ ଗିରଫ କରିଛି।