ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଙ୍କ ହଷ୍ଟେଲ ରୁମ ସିଲ

  • ବଲାଙ୍ଗିର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ନେଇ ତନାଘନା। ବଲାଙ୍ଗିରରେ ମାରାଥନ ତଦନ୍ତ କରୁଛି ପାରଳାଖେମୁଣ୍ଡି ପୁଲିସ। ଗତକାଲି ରାତିରେ ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୫ ଜଣିଆ ଟିମ ବଲାଙ୍ଗିର ଆସିଥିଲେ। ଆଜି ସକାଳେ ପ୍ରଥମେ ଟାଉନ ଥାନାକୁ ଯାଇଥିଲା ଟିମ। ତା’ପରେ ଟାଉନ ପୁଲିସର ଏକ ଟିମ ସହିତ ପାରଳାଖେମୁଣ୍ଡି ପୁଲିସ ଟିମ ଲର୍କିପାଲିଠାରେ ଥିବା ପ୍ରାଣୀଧନ ନୀରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲା। ସେଠାରେ ନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କ ଅଫିସ ଭିତରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ସେଠାରେ ନିର୍ଦ୍ଦେଶକ, ଜଣେ କିରାଣି ଏବଂ ୨ ଜଣ ପିଅନଙ୍କୁ ପଚରାଉଚରା କରିଥିଲା। ଏପରିକି ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ସକାଳ ୧୦ଟାରୁ ୩ ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ଚାଲିଥିଲା ତଦନ୍ତ।
    ଅଫିସ ଭିତରେ ତଦନ୍ତ ସାରିବା ପରେ ବିଦ୍ୟାଭାରତୀ ପଢୁଥିବା କ୍ଲାସରୁମକୁ ଛାନଭିନ କରିଥିଲା ପୁଲିସ। ପରେ ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲକୁ ଯାଇଥିଲା ପୁଲିସ ଟିମ। ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲର ରୁମ ନମ୍ୱର-୧ ରେ ତାଲା ପଡିଥିଲା । ଚାବିକାଠି ବିଦ୍ୟାଭାରତୀ ସହ ରହୁଥିବା ସାଙ୍ଗମାନେ ରଖିଥିବାରୁ ପୁଲିସ ରୁମକୁ ସିଲ କରିଥିଲା। ତାଲିମ କେନ୍ଦ୍ରରୁ କିଛି ଜରୁରୀ କାଗଜପତ୍ରକୁ ନିଜ ହେପାଜତକୁ ନେଇଛି ପୁଲିସ। ବଲାଙ୍ଗିରରେ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଉପରେ ପ୍ରାଣୀଧନ ନୀରିକ୍ଷକ ପ୍ରଶିକ୍ଷଣର ନିର୍ଦ୍ଦେଶକ କହିଛନ୍ତି ଯେ, ତାହା ବ୍ୟାଚଲର ପାର୍ଟି ନଥିଲା, କେବଳ କ୍ୟାଣ୍ଟିନରେ ସାଙ୍ଗମାନଙ୍କୁ ଦିଆଯାଇଥିବା ଭୋଜି।
    ସେପଟେ କିନ୍ତୁ ଆଜି ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ପରୀକ୍ଷା ପରେ ୧୩ ତାରିଖରେ ବିଦ୍ୟାଭାରତୀ ନିଜର ସବୁକିଛି ସାମଗ୍ରୀ ଧରି ଯାଇଥିଲେ ଏବଂ ସାଙ୍ଗମାନଙ୍କୁ ଆଉ ଆସିବିନି ବୋଲି କହିଥିଲେ। ତାଲିମ ସରିନଥିବା ଏବଂ ଫାଇନାଲ ପରୀକ୍ଷା ବାକି ଥିବା ସତ୍ତେ୍ୱ ବିଦ୍ୟାଭରତୀ କ’ଣ ପାଇଁ ଆଉ ହଷ୍ଟେଲକୁ ଫେରିବେନି ବୋଲି କହିଥିଲେ ତାହା ଏବେ ତଦନ୍ତ ସାପେକ୍ଷ। ନିର୍ଦ୍ଦେଶକ ପୁଲିସକୁ ସବୁ ପ୍ରକାର ତଥ୍ୟ ଯୋଗାଇ ଦିଆଯାଇଥିବା କହିଛନ୍ତି। ସେପଟେ ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ।