ଟୋକିଓ,ଏଜେନ୍ସି: ଭାରତୀୟ ସୁଟିଂ ଷ୍ଟାର ମନୁ ଭାକର ଟୋକିଓ ଅଲମ୍ପିକ୍ରେ ନିରାଶ ହୋଇଛନ୍ତି। ୧୦ ମିଟର ମହିଳା ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ମନୁ। ମନୁ ବ୍ୟବହାର କରିଥିବା ପିସ୍ତଲରେ କିଛି ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଯାହାକି ତାଙ୍କୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ କରିଥିଲା।
ନିଜର ପ୍ରଥମ ଅଲମ୍ପିକ ପଦାର୍ପଣରେ ଭଲ ଆରମ୍ଭ କରିଥିଲେ ମନୁ। ମାତ୍ର ପିସ୍ତଲରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପ୍ରାୟ ୫ ମିନିଟରୁ ଅଧିକ ସମୟ ହରାଇଥିଲେ। ପରେ ଫେରିଥିଲେ ମଧ୍ୟ ତାଙ୍କର ଏକାଗ୍ରତା ଭଙ୍ଗ ହୋଇଥିଲା। ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଇଣ୍ଡିଆ ଅଧିକାରୀ ତଥା ମନୁଙ୍କ ପିତା ରାମକ୍ରୀଷନ ଭାକର କହିଛନ୍ତି, ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସିରିଜର ମଧ୍ୟରେ ମନୁଙ୍କ ପିସ୍ତଲର ଇଲେଟ୍ରୋନିକ୍ ଟ୍ରିଗରରେ ସମସ୍ୟା ଦେଖାଦେଇଥିଲା। ଏହାକୁ ଠିକ୍ କରି ମନୁ ଫାଏରିଂ ପଏଣ୍ଟକୁ ଫେରିଥିଲେ, ମାତ୍ର ବିଶ୍ୱ ଚମ୍ପିଆନ ଓ ବିଶ୍ୱ ସ୍ତରୀୟ ଶ୍ରେଷ୍ଠ ସୁଟରଙ୍କ ବିପକ୍ଷରେ ବିଚଳିତ ହୋଇଯାଇଥିଲେ।
୧୯ ବର୍ଷୀୟା ମନୁ ବିଶ୍ୱ ମାନ୍ୟତାର ନମ୍ବର ୨ ଖେଳାଳି। ପ୍ରଥମ ପ୍ରୟାସରେ ୯୮ ପଏଣ୍ଟ ହାସଲ କରିଥିବା ମନୁ ପରବର୍ତ୍ତୀ ପ୍ରୟାସ ଗୁଡିକରେ ୯୫, ୯୪, ୯୫ ପଏଣ୍ଟ ହାସଲ କରିଥିଲେ। ଫଳରେ ଶୀର୍ଷ ୧୦ ସ୍ଥାନରୁ ବାହାର ହୋଇଯାଇଥିଲେ। ୬୭୫ ପଏଣ୍ଟ ସହ ମନୁ ଦ୍ୱାଦଶ ସ୍ଥାନରେ ରହିଥିଲେ। ଯଶସ୍ୱିନୀ ସିଂହ ଦେଶୱାଲ ୫୭୪ ପଏଣ୍ଟ ସହ ତ୍ରୟୋଦଶ ସ୍ଥାନରେ ରହିଥିଲେ। ଯୋଗ୍ୟତା ଅର୍ଜନ ପଏଣ୍ଟ ୫୭୭ ରହିଥିଲା। ଉଭୟ ଭାରତୀୟ ଯୁବ ସୁଟରଙ୍କ ଏହା ପ୍ରଥମ ଅଲମ୍ପିକ ଅଂଶଗ୍ରହଣ।