କୋରାପୁଟ,ଏନ୍ଏନ୍ଏସ୍: ଲକଡାଉନରେ ଜୀବିକା ହରାଇ ଆରମ୍ଭ କରିଥିଲେ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ। ଏହାପରେ ପାରମ୍ପାରିକ ଆଦିବାସୀ ଜୀବନଶୈଳୀ ଓ ଖାଦ୍ୟପେୟକୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ତିଆରି କରି ୟୁଟ୍ୟୁବରେ ଅପଲୋଡ୍ କରି ଚାଲିଥିଲେ କୋରାପୁଟ ଆଦିବାସୀ ଅଞ୍ଚଳର ଇଶାକ୍ ମୁଣ୍ଡା।
ତାଙ୍କର ଏହି ଭିଡିଓ ଟି ଏତେ ଲୋକପ୍ରୀୟତା ହାସଲ କରିପାରିଥିଲା ଯେ ରାତା ରାତି ଲୋକପ୍ରିୟ ୟୁଟ୍ୟୁବର ହୋଇଗଲେ ଇଶାକ୍। ଏହାପରେ ଦିନ ମଜୁରିଆରୁ ଲକ୍ଷପତି ୟୁଟ୍ୟୁବର ଯାତ୍ରାକୁ ନେଇ ଇଶାକ୍ ମୁଣ୍ଡାଙ୍କ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲା।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଇଶାକ୍ ମୁଣ୍ଡାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଇଶାକ୍ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲକଡାଉନରେ ଜୀବିକା ହରାଇ ଇଶାକ୍ ଭାଙ୍ଗି ନପଡି ୟୁଟ୍ୟୁବ୍ ଚ୍ୟାନେଲ କରି ନିଜର ପ୍ରତିଭା ଦେଖାଇ ଆଜି ସେ ପୁରା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହୋଇ ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଇଶାକ୍ ମୁଣ୍ଡା ମାର୍ଚ୍ଚ ୨୦୨୦ ରେ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲିଥିଲେ। ଏଥିରେ ସେ ନିଜ ଲାଇଫ୍ ଷ୍ଟାଇଲ୍, ନିଜ ଗାଁ, ପରିବାରିକ ଚାଲିଚଳଣି, ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ଆଦି ଦେଖାଇଥିଲେ। ଯାହା ପାଇଁ ତାଙ୍କୁ ଏତେ ମାତ୍ରାରେ ଲୋକପ୍ରିୟତା ମିଳିପାରିଛି। ତାଙ୍କର ଏହି ଚିନ୍ତାଧାର ଆଜି ତାଙ୍କୁ ଇଣ୍ଟରନେଟ୍ ସେନସେସନ୍ କରିପାରିଛି।