ସଇଁନ୍ତଳା,ଏନ୍ଏନ୍ଏସ୍: ସରକାର ଆବାସ ଯୋଜନାରେ କୋଶଳାଞ୍ଚଳକୁ ଅବହେଳା କରାଯାଉଛି। ଫଳରେ ଅନେକ ହିତାଧିକାରୀଙ୍କ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ପ୍ରତିବାଦ କରି ଗତକାଲି ଠାରୁ ଭବାନୀପାଟଣାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ସଇଁନ୍ତଳାରେ ପହଞ୍ଚିଛି।
କୋଶଳ ରାଜ୍ୟ ସମ୍ପାଦକ ସିପୁନ ଖମାରିଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ସମିତି ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ରଞ୍ଜନ ଖୁଆସ ସମେତ ଶତାଧିକ ଲୋକେ ସାମିଲ ହୋଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟ ପାଇଁ ପ୍ରାୟ ୮ ଲକ୍ଷ ୧୭ ହଜାର ୪୪୪ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଷଣା କରାଯାଇଥିଲା। ଏଥିରେ କୋଶଳାଞ୍ଚଳକୁ ଅଣଦେଖା କରାଯାଇଛି। ଏଥିସହ କୋଶଳାଞ୍ଚଲକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ନେଇ ଏକ ୬ ଦିନିଆ ପଦଯାତ୍ରା କରାଯାଇଛି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଇଷ୍ଟଦେବୀ ମା ମାଣିକେଶ୍ୱରୀ ମନ୍ଦିରୁ ଗତକାଲିଠାରୁ ବରଗଡ଼ ଯାଏ ପଦଯାତ୍ରା କରାଯାଉଛି। ଗତକାଲି ସନ୍ଧ୍ୟାରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱରରୁ ଟିଟିଲାଗଡ଼କୁ ଆସୁଥିବା ବେଳେ ସେହି ସମୟରେ କୋଶଳ ସେନା ମାନେ ଶ୍ରୀମତି ସାହୁଙ୍କୁ ଅଟକାଇ ତୀବ୍ର ବିରୋଧ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ଓ କୋଶଳ ସେନାଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ମନ୍ତ୍ରୀ ଶ୍ରୀମତୀ ସାହୁ ଗାଡିରୁ ଓହ୍ଲେଇ ଆଲୋଚନା କରିଥିଲେ, ହେଲେ କିଛି ସମାଧାନ ହୋଇନଥିଲା। ପରେ ଖବର ପାଇ ସଇଁନ୍ତଳା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି କୋଶଳ ସେନାର ଯୁବକ ମାନଙ୍କୁ ଗତକାଲି ସନ୍ଧ୍ୟାଠାରୁ ଥାନାରେ ଅଟକ ରଖାଯାଇଛି। ଏନେଇ ଆଜି ସକାଳେ ସ୍ଥାନୀୟ ଜନସାଧାରଣ ମାନେ କୋଶଳ ସେନାଙ୍କୁ ଗିରଫ କରିଥିବା ବେଳେ ବିରୋଧ କରିଥିଲେ। ପରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିଜେପି ନେତା ମହେନ୍ଦ୍ର ଠାକୁର, ରାଜେଶ ସାହୁ, କଂଗ୍ରେସ ଦଳ ବ୍ଲକ୍ ସଭାପତି ଗୁଣ ସାଗର ମାଝୀ, ଦେବେନ୍ଦ୍ର ଯୋଶୀ, ଦୀପକ ଅଗ୍ରୱାଲ, ବୁବୁନ ପାଣିଗ୍ରାହୀ ସମେତ ଶତାଧିକ ଲୋକେ କୋଶଳ ସେନାଙ୍କୁ ସମର୍ଥନ କରି ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ପହଞ୍ଚି ବୁଝାସୁଝା କରିବା ପରେ ଜାତୀୟ ରାଜପଥ ଅବରୋଧ ହଟିଥିଲା। ପରେ କୋଶଳ ସେନାଙ୍କୁ ମଧ୍ୟ ଛାଡି ଦିଆଯାଇଥିବା ଜଣାପଡ଼ିଛି।