କଲମ୍ବୋ,ଏଜେନ୍ସି: ଆଜିଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ । ୩ଟି ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଖେଳାଯିବ। ଏଥିପାଇଁ ଉଭୟ ଅତିଥି ଟିମ୍ ଏବଂ ଘରୋଇ ଦଳ ପ୍ରସ୍ତୁତ ହୋଇଯାଇଛନ୍ତି। ମ୍ୟାଚ ବିଜୟ ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି।
ନିକଟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି। ତେଣୁ ଟିମ୍ ଇଣ୍ଡିଆର ମନୋବଳ ବଢ଼ିଯାଇଛି ଯେ, ଟି-୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିବ। ଶେଷ ଦିନିକିଆରେ ଶ୍ରୀଲଙ୍କା ୩ ୱିକେଟରେ ଭାରତକୁ ପରାସ୍ତ କରିଥିବାରୁ ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।
ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଦଳରେ ୱିକେଟ କିପର ଭୂମିକା ତୁଲାଇବେ ଈଷାନ କିଷାନ। ସେହିପରି ଅନ୍ୟ ଖେଳାଳିମାନେ ହେଲେ ପୃଥ୍ୱୀ ଶ’, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ରାହୁଲ ଚହର, ୟୁଜବେନ୍ଦ୍ର ଚହଲ, ସଂଜୁ ସାମସନ, କୁଲଦୀପ ଯାଦବ, କ୍ରିଷ୍ଣପା ଗୌତମ, ନୀତିଶ ରାଣା, ନବଦୀପ ସଇନୀ, ଋତୁରାଜ ଗାଇକୱାଡ, ବରୁଣ ଚକ୍ରବର୍ତ୍ତୀ, ଦେବଦୂତ ପାଡିକଲ ଓ ଚେତନ ସକରିଆ।