ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମ ନିକଟରେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ପୁଲିସ ୨ଜଣକୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୫୪ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆଜି ସକାଳେ ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେସିଆଲ ସ୍କ୍ୱାର୍ଡ ଏବଂ କୁଣ୍ଢେଇଗୋଳା ଥାନା ପୁଲିସ ଆଉଁଳି ରାସ୍ତାରେ ଲୁଚି ରହିଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଏକ ବାଇକ ଯୋଗେ ରିଆମାଳ ଥାନା ଅନ୍ତର୍ଗତ ପେଜଗଳା ଗ୍ରାମର ତରଣୀ ପ୍ରଧାନ (୨୪) ଓ କରୁଣାକର ଠାକୁର (୪୮) ଏକ ବସ୍ତା ମଧ୍ୟରେ ଗଞ୍ଜେଇ ଭର୍ତ୍ତି କରି ଆସୁଥିବା ଦେଖି ପୁଲିସ ଟିମ୍ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେମାନେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଜାଣିପାରି ପୁଲିସ ଉଭୟଙ୍କୁ ଗିରଫ କରି ଥାନାରେ ରଖି ଅଧିକ ପଚରାଉଚୁରା କରୁଛି । ସେହିପରି ଆଜି ପୂର୍ବାହ୍ନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବା ପରେ ଏହା ୫୪କେଜି ୬୦୦ଗ୍ରାମ ହୋଇଥିଲା। ଆସନ୍ତାକାଲି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।