ଦେବଗଡ଼,ଏନ୍ଏନ୍ଏସ୍ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରୁତାନାଲି ଗ୍ରାମରେ ଗାଧେଇବାକୁ ଯାଇଥିବା ଜଣେ ଯୁବକ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ରୁତାନାଳି ଗ୍ରାମର ଗୌର ପ୍ରଧାନଙ୍କ ପୁଅ ପ୍ରତାପ ପ୍ରଧାନ (୩୬)। ମିଳିଥିବା ରିପୋର୍ଟ ମୁତାବକ, ଆଜି ମଧ୍ୟାହ୍ନରେ ପ୍ରତାପ ଗାଁ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବାବେଳେ ହଠାତ୍ ପାଣି ସୁଅରେ ପ୍ରତାପ ଭାସି ଯାଇଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟ କେତେକ ଗ୍ରାମବାସୀ ପ୍ରତାପକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏନେଇ ଗ୍ରାମବାସୀମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ଛେଣ୍ଡିପଦା ଅଗ୍ନିଶମ ବାହିନୀ କର୍ମଚାରୀ ପରିବାର ଲୋକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନଦୀ ମଧ୍ୟରୁ ପ୍ରତାପଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେହିପରି ସୂଚନା ପାଇ କୁଣ୍ଢେଇଗୋଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ମୃତଦେହ ବ୍ୟବଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।