ଟୋକିଓ ଅଲିମ୍ପିକ୍ସ: ଶୁକ୍ରବାର ଉଦଘାଟନୀ ଉତ୍ସବ, ଭାରତରୁ ୬ ଅଫିସିଆଲଙ୍କୁ ଅନୁମତି

ଟୋକିଓ,ଏଜେନ୍ସି; ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଉଦଘାଟନୀ ଉତ୍ସବ ପାଇଁ ଭାରତରୁ ମାତ୍ର ୬ ଜଣ ଅଫିସିଆଲଙ୍କୁ ଅନୁମତି ମିଳିଥିବାବେଳେ ଆଥଲେଟମାନଙ୍କୁ କ୍ୟାପ୍‌ ପିନ୍ଧିବା ବାରଣ କରାଯାଇଛି। ଭାରତର ଡେପୁଟି ଚିଫ୍‌-ଡି-ମିସନ ପ୍ରେମ୍‌ କୁମାର ବର୍ମା ଏ ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣକାରୀ ସବୁ ଦେଶର ୬ ଜଣ ଲେଖାଏଁ ଅଫିସିଆଲ୍‌ ସାମିଲ ହୋଇପାରିବେ। ଆଥଲେଟମାନେ କ୍ୟାପ୍‌ ପିନ୍ଧି ପାରିବେନି। ଉଦଘାଟନୀ ଉତ୍ସବର ପରଦିନ ଯେଉଁ ଆଥଲେଟମାନଙ୍କର କ୍ରୀଡ଼ାସୂଚୀ ରହିଛି, ସେମାନଙ୍କୁ ଆମେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛୁ। ଉଦଘାଟନୀ ଉତ୍ସବ ରାତି ଅଧ ଯାଏଁ ଜାରି ରହିବ। ପରଦିନ କ୍ରୀଡ଼ାସୂଚୀ ଥିବା ଆଥଲେଟମାନେ ଏଥିରୁ ଦୂରେଇ ରହିବା ଭଲ।’ ଟୋକିଓ ଅଲିମ୍ପିକ୍ସ ୨୩ ତାରିଖରୁ ଆରମ୍ଭ ହେବ। ୨୪ ତାରିଖରୁ ସୁଟିଂ, ବକ୍ସିଂ, ତୀରନ୍ଦାଜୀ, ହକି (ପୁରୁଷ ଓ ମହିଳା) କ୍ରୀଡ଼ାସୂଚୀ ରହିଛି।

ସୂଚନାଯୋଗ୍ୟ ଯେ, ଟୋକିଓ କ୍ରୀଡ଼ାରେ ଭାରତରୁ ୨୨୮ (୧୨୭ ଆଥଲେଟ୍‌) ଜଣିକିଆ ଦଳ ଭାଗ ନେବ। ୬ ଥର ବିଶ୍ୱ ଚାମ୍ପିଅନ୍‌ ଏମସି ମେରୀ କମ୍‌ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଉଦଘାଟନୀ ଉତ୍ସବ ପାଇଁ ଭାରତୀୟ ଦଳର ଧ୍ୱଜା ବାହାକ ମନୋନୀତ ହୋଇଛନ୍ତି।