ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ସପକ୍ଷରେ ସରକାର

  • ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ପ୍ରଭାବ ହ୍ରାସ ପାଉଥିବାରୁ ଏବେ ସ୍କୁଲ ଖୋଲିବାକୁ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର। ସୋମବାର ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଥିବାବେଳେ ଆଜି ଭାରତ ସରକାର ଏହାକୁ ସମର୍ଥନ କରିଛନ୍ତି। ଭାରତ ସରକାର ପ୍ରଥମେ କଲେଜ ଅପେକ୍ଷା ପ୍ରାଥମିକ ସ୍କୁଲ ଖୋଲିବା ଦରକାର ବୋଲି କହିଛନ୍ତି।
    ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ କହିଛନ୍ତି, ପ୍ରାପ୍ତ ବୟସ୍କଙ୍କ ତୁଳନାରେ ଛୋଟ ପିଲାମାନେ ଭାଇରାଲ ସଂକ୍ରମଣକୁ ବେଶ ଭଲଭାବେ ମୁକାବିଲା କରିପାରୁଥିବା ଏବେ ଜଣାପଡ଼ିଛି। ତେଣୁ ଆମେ ଯଦି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛେ, ତା’ହେଲେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଆଗ ଖୋଲିବା ବୁଦ୍ଧିମତାର କାମ ହେବ।
    ଦେଶରେ ହୋଇଥିବା ୪ର୍ଥ ସେରୋ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରାପ୍ତ ବୟସ୍କ ଭଳି ଛୋଟ ପିଲାଙ୍କ ଶରୀରରେ ମଧ୍ୟ ସମାନସ୍ତରର ଆଣ୍ଟିବଡି ସୃଷ୍ଟି ହୋଇଛି। ତେଣୁ ସେମାନେ କରୋନାକୁ ମୁକାବିଲା କରିବାରେ ସକ୍ଷମ। ଏବେ ପ୍ରାଥମିକ ସ୍କୁଲଗୁଡ଼ିକୁ ଖୋଲିବା ଭଲ ହେବ। କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସପୋର୍ଟ ଷ୍ଟାଫଙ୍କ ଟିକାକରଣ ଜରୁରୀ। ଶିକ୍ଷକ ଓ ବସ୍ ଡ୍ରାଇଭରମାନଙ୍କ ମଧ୍ୟ ଟିକାକରଣ ହେବା ଉଚିତ।