ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦ୍ୱିତୀୟ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୨୧ ଅନୁଯାୟୀ, ୨୦୨୦-୨୧ ମସିହାରେ ଓଡିଶାରେ ବଜ୍ରପାତ ପ୍ରାୟ ୩୭% ବୃଦ୍ଧି ପାଇଛି। ୨୦୧୯-୨୦ରେ ବାର୍ଷିକରେ ପ୍ରାୟ ୧୪.୮ ଲକ୍ଷ ବଜ୍ରପାତ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୦.୪୩୨ ଲକ୍ଷକୁ ବୃଦ୍ଧି ପାଇଛି। ଯାହା ୪୦% ରୁ ଅଧିକ ବୃଦ୍ଧି ହୋଇଥିବା ଦର୍ଶାଉଛି।
ଏହି ରିପୋର୍ଟ ଅନୁଯାୟୀ ୨୦୨୦-୨୧ ଅନୁସାରେ ଦେଶରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ବଜ୍ରପାତ ପ୍ରବଣ ରାଜ୍ୟ ଭାବରେ ଉଭା ହୋଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ବିହାରରେ ୪୦୧, ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବଜ୍ରପାତ ସହ ବର୍ଷକ ମଧ୍ୟରେ ପ୍ରାୟ ୨୦୭ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
ସିଆରପିସି ରିପୋର୍ଟ ମୁତାବକ ଋତୁ ଅନୁସାରେ ବିଭିନ୍ନ ରାଜ୍ୟରେ ବଜ୍ରପାତ ଭିନ୍ନ ହୋଇଥାଏ। ଉଦାହରଣ ସ୍ଵରୂପ କାଳବୈଶାଖୀ ବେଳେ ବଜ୍ରପାତ ଯୋଗୁଁ ପୂର୍ବ ଭାରତରେ ଅଧିକାଂଶ ଜୀବନ ହାନି ହେଉଥିବା ବେଳେ ପ୍ରାକ୍ ମୌସୁମୀ ବର୍ଷାବେଳେ ବିଶେଷକରି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶରେ ଏହାର ପ୍ରଭାବ ସର୍ବାଧିକ ରହିଥାଏ।