ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ସୁନାରିଗୁଡ଼ା ଛକରୁ ଲୁଟ୍ ଘଟଣାରେ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିିରଫ ଅଭିଯୁକ୍ତମାନେ ହେଲେ ଜୟନଗର ଦାସିରି ସାହିର ସମୀର ମହାପାତ୍ର(୧୯) , ବିଷ୍ଣୁ ହରିଜନ(୧୯), ଚିଲିଗୁଡ଼ାର ବାବୁଲା ବାହାଦୁର(୧୯), ପାଇକ ସାହିର ସୁନୀଲ ଆଚାରି(୧୮) ଓ ବୈପାରିଗୁଡ଼ା ଥାନା ଦିଗାପୁରର ଶଙ୍କର ଦଣ୍ଡସେନା(୩୦)। ମିଳିଥିବା ରିପୋର୍ଟ ମୁତାବକ, ଜୟପୁର ପୁରୁଣା ସଦର ଥାନା କଲୋନୀର କ୍ଷୀରୋଦ ଚନ୍ଦ୍ର ରାଉତ ୧୦ ତାରିଖ ଅପରାହ୍ନରେ ଫାମ୍ପୂଣୀ ଗ୍ରାମରୁ ଜୀବନ ବୀମା ପ୍ରିମିୟମ୍ ଟଙ୍କା ସଂଗ୍ରହ କରି ଘରକୁ ଫେରୁଥିଲେ। ଏହି ସମୟରେ ସୁନାରିଗୁଡ଼ା ଛକ ନିକଟରେ ଏକ ପଲସର୍ ମୋଟର ସାଇକଲରେ ମୁଖାପିନ୍ଧା ୨ଜଣ ଯୁବକ ଆସି ତାଙ୍କୁ ଆକ୍ରମଣ କରି ୧୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍ ନେଇ ପଳାଇଥିଲେ। ଏନେଇ ଶ୍ରୀ ରାଉତ ଅଭିଯୋଗ କରିବା ପରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୮,୦୫୦ ଟଙ୍କା, ୨ଟି ବାଇକ୍ ଓ ୨ଟି ମୋବାଇଲ୍ ଫୋନ ଜବତ କରିଥିବା ଜଣାପଡ଼ିଛି ।