ବାରହା ଜାଲରେ ପଡି ଜଣେ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ବାରହା ଜାଲରେ ପଡି ଜଣଙ୍କ ମୃତ୍ୟୁ ଘଟଛି। ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖର୍ଲିକାନୀର ମିର୍ଧାପଡ଼ାରେ ଘଟିଛି ଏଭଳି ଅଘଟଣ। ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ନିକଟସ୍ଥ କର୍ଲ୍ଲାବାହାଲି ଜଙ୍ଗଲରେ ଶିକାରୀ ବିଛାଇଥିବା ବିଦ୍ୟୁତ ତାରଯୁକ୍ତ ବାରହା ଫାଶରେ ପଡ଼ିଯାଇଥିଲେ ମିର୍ଧାପଡ଼ାର ଶେଷ କୁଚିଆ। ଘଟଣା ସ୍ଥଳରେ ହିଁ ଶେଷଙ୍କ ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ମୃତ ଦେହ ପଡିଥିବା ନେଇ ଗ୍ରାମବସୀଙ୍କ ଠାରୁ ପରିବାର ଲୋକେ ଖବରପାଇ ରାତିରେ ମୃତ ଦେହ ଘରକୁ ଆଣିଥିଲେ।

ପରିବାର ଲୋକେ ପୁଲିସକୁ ଖବର ନଦେଇ ମୃତ ଦେହକୁ ଆଜି ସକାଳୁ ପୋଡି ଦେଇଛନ୍ତି। ସଦର ଥାନା ପୁଲିସ ଖବରପାଇ ଗାଁ’ରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି। ଅନ୍ୟପଟେ ମୃତ ଶେଷ କୁଆଚିଙ୍କ ପୁଅ ଅଙ୍କିତ କୁଆଚି ବିଦ୍ୟୁତ ତାର ବିଛାଇଥିବା ଶିକାରୀମାନଙ୍କୁ ଗିରଫ କରିବା ସହ ତାଙ୍କ ପିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପୁଲିସ ନିକଟରେ ଦାବି କରିଥିବା ସୂଚନା ମିଳିଛି।