କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅଧିନସ୍ତ ହାତୀମୁଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ଜମି ବିବାଦରୁ ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। ଏହି ଗୋଷ୍ଠୀ ସଂଘର୍ଷ ଏତେ ଭୟଙ୍କର ଥିଲା ଯେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜମି ଜମା ବିବାଦକୁ ନେଇ ଗାଁର ଦୁଇଟି ପରିବାର ମଧ୍ୟରେ ଝଗଡା ହୋଇଥିଲା ଓ ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା।
ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ୭ ଜଣ ଆହାତ ହୋଇଥିବା ଜଣାପଡିଛି। ଆହାତ ମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି। ଅନ୍ୟ ୪ ଜଣଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ମୃତ ଦେହକୁ ଜବତ କରିଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।