ଅସଦାଚାରଣ ଅଭିଯୋଗରେ ତହସିଲଦାର ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ଅସଦାଚାରଣ ଅଭିଯୋଗରେ ପୁଲିସ ଶୁକ୍ରବାର ରାତ୍ରିରେ ଗିରଫ କରିଛି। ତାଙ୍କ ବିରୋଧରେ ଜଣେ ମହିଳା ତହସିଲଦାର ଅସଦାଚାରଣ କରିଥିବା ଅଭିଯୋଗ ଆଣିଥିଲେ। ଏହାକୁ ଭିତ୍ତିକରି ପୁଲିସ ଗତକାଲି ରାତିରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାପରେ ସେଠାରୁ ତାଙ୍କୁ ହାଜତ ପଠାଇ ଦିଆଯାଇଛି। ତେବେ ଏହି ଘଟଣାଟି ସମସ୍ତଙ୍କୁ ଚକିତକରିଦେଇଥିବାବେଳେ ଏହା ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଛି।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଅତିରିକ୍ତ ତହସିଲଦାର  ଅବିବାହିତ ଥିବାବେଳେ ଧନୁପାଲି ଅଞ୍ଚଳରେ ଭଡ଼ା ଘରେ ଏକୁଟିଆ ରହୁଥିଲେ। ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଶନିବାର ତାଙ୍କ ଘରେ ପଶି ଅସଦାଚାରଣ କରିଥିଲେ । ଅତିରିକ୍ତ ତହସିଲଦାର ଏହାକୁ ବିରୋଧ କରିବାରୁ ସେ ତାଙ୍କୁ ଗାଳିଗୁଲଜ  ମଧ୍ୟ କରିଥିଲେ। ଏନେଇ ମହିଳା ଅଧିକାରୀଜଣକ ରାତିରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ  ଆରମ୍ଭ କରି ରାତିପ୍ରାୟ ୧୦ଟା ପରେ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏ ନେଇ ପୁଲିସ ଅଧିକ ତଦନ୍ତ  ଜାରି ରଖିଛି।