ଜୁଆ ଆଡ୍ଡାରେ ଚଢ଼ଉ, ୧୮ ଜୁଆଡ଼ି ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଡ଼ଜୋବର ସୀତାରାମ ପାହାଡ଼ ଜଙ୍ଗଲରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ବ୍ରଜରାଜନଗର ପୁଲିସ ଚଢ଼ଉ କରି ୧୮ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଏହି ଜୁଆଡ଼ିମାନେ ଅନେକ ଦିନରୁ ଲକଡାଉନର ସୁଯୋଗ ନେଇ ଜଙ୍ଗଲ ଭିତରେ ଜୁଆ ଆଡ୍ଡା ପରିଚାଳନା କରୁଥିଲେ। ବ୍ରଜରାଜନଗର ପୁଲିସ ଏନେଇ ଖବର ପାଇବା ପରେ ଏସଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ଼, ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ ଓ ଏସଆଇ ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ସମେତ ୧୭ ପୁଲିସ କର୍ମଚାରୀଙ୍କୁ ନେଇ ୩ଟି ଟିମ ଗଠନ କରିଥିଲେ। ପରେ ଟିମରେ ସାମିଲ ଥିବା ସମସ୍ତ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ସାଦା ପୋଷକରେ ୩ଟି ଟେମ୍ପୁ ନେଇ ବଡ଼ଜୋବର ସୀତାରାମ ପାହାଡ଼ ନିକଟକୁ ଯାଇ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଜୁଆ ଖେଳରେ ମସଗୁଲ ଥିବା ୧୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହାସହ ଘଟଣାସ୍ଥଳରୁ ୧ଲକ୍ଷ ୧୪ ହଜାର ୩୨୦ ଟଙ୍କା, ଜୁଆଖେଳରେ ବ୍ୟବହାର ହେଉଥିବା ଘୁଡ଼ଘୁଡ଼ି ପଟି, ଏକ ବୋଲେରୋ ଓ ୧୮ଟି ମୋବାଇଲ ଫୋନ ଜବତ କରିଥିବା ଜଣାପଡ଼ିଛି।