ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗିର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି। ଆଜି ସକାଳୁ ବଲାଙ୍ଗିର ସହରର ପ୍ୟାଲେସ ଲାଇନସ୍ଥିତ ଶ୍ରୀ ପୁରୋହିତଙ୍କ ଘର ସମେତ ସହରର ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ଚଢ଼ଉ ଜାରି ରଖିଛି। ଶ୍ରୀ ପୁରୋହିତଙ୍କ ପ୍ୟାଲେସ ଲାଇନରେ ଥିବା ୨ଟି ଘର, ରାଜେନ୍ଦ୍ରପଡ଼ାରେ ଗୋଟିଏ ଘର ଓ ସଦର ବ୍ଲକ ଅନ୍ତର୍ଗତ ଖଟବାହଲି ଗାଁରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ଗଣପତି ପୁରୋହିତ ଟିଟିଲାଗଡ଼ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଭାରପ୍ରାପ୍ତ ଅଧିକ୍ଷକ ଭାବେ କାର୍ଯ୍ୟ କରି ଗତ ବର୍ଷ ମେ’ ମାସରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ନାଁରେ ପଣ୍ୟାଗାର ନିଗମରୁ କୋଟି କୋଟି ଟଙ୍କାର ଚାଉଳ ହେରଫେର କରିଥିବା ଅଭିଯୋଗ ରହିଛି । ପୂର୍ବରୁ ୨୦୦୯ ମସିହାରେ ମଧ୍ୟ ଗଣପତିଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ଉ କରିଥିବା ନେଇ ସୂଚନା ମିଳିଛି। ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।