ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଯନ୍ତ୍ରୀଙ୍କ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇ ଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଆରୋହୀଙ୍କ ଧକା ଦେଇ ଆରୋହୀଙ୍କ ଗୋଡ଼ ଉପରେ ଟ୍ରକ ଚଢି ଯିବାରୁ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ବାରିପଦା ବୁଢାମରାର ବେଣୁଧର ଗୋଚ୍ଛାୟତ ବୋଲି ଜଣାପଡିଛି।

ସେ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଆଲ କୋଅପରେସନରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳୁ ବାଇକ ଯୋଗେ ଯାଇଥିବା ବେଳେ ଖିରେଇଟାଙ୍ଗିରୀ ନିକଟରେ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ୧୦୮ ସହାୟତାରେ ତାଙ୍କୁ କେନ୍ଦୁଝର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ଟ୍ରକ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଫେରାର ଟ୍ରକକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।