ମୁମ୍ବାଇ,ଏଜେନ୍ସି: ବଲିଉଡ ପାଇଁ ଏକ ଦୁଃଖଦ ଖବର। ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର। ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୭ଟା ୩୦ରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା। ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।
୧୯୪୪ରେ ‘ଜ୍ୱାର ଭଟ୍ଟା’ ଚଳଚ୍ଚିତ୍ରରୁ ସେ ତାଙ୍କର ପ୍ରଥମ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେହି ଚଳଚ୍ଚିତ୍ରରେ ତାଙ୍କ ସହିତ ଶମିମ୍ ବାନୋ ଅଭିନୟ କରିଥିଲେ। ଏଥିସହିତ ମୁଗଲ-ଇ-ଆଜମ୍, ଗଙ୍ଗା ଯୁମନା, ମଶାଲ ଆଦି ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ନିକଟରେ ବେଶ୍ ପ୍ରିୟଭାଜନ ହୋଇଥିଲେ। ତାହାସହିତ ତାଙ୍କ ଅଭିନୀତ ପ୍ରଭାବଶାଳୀ ଚଳଚ୍ଚିତ୍ର ଗୁଡିକ ମଧ୍ୟରେ ଦେବଦାସ, ରାମ୍ ଔର ଶ୍ୟାମ, କର୍ମା, ସୌଦାଗର, ଲିଡର, ମଧୁମତୀ, ବିଧାତା, କ୍ରାନ୍ତି ଆଦି ରହିଛି। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘କିଲା’। ଏହା ୧୯୯୮ରେ ମୁକ୍ତିଲାଭ କରିଥିଲା। ୧୯୯୪ରେ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଥିଲା। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ସେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ରହିଥିଲେ। ଏଥିସହିତ ଦିଲୀପ କୁମାର ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ।
ଦିଲୀପ କୁମାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଦିଲୀପ କୁମାର ଜଣେ କିମ୍ବଦନ୍ତୀ ଅଭିନେତା ଭାବରେ ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କ ନିକଟରେ ଅତୁଳନୀୟ ଅଭିନୟ ଚାତୁରୀ ରହିଥିଲା, ଯେଉଁଥିପାଇଁ ପିଢି ପରେ ପିଢି ଦର୍ଶକମାନଙ୍କୁ ସେ ନିଜ ଅଭିନୟରେ ସମ୍ମୋହିତ କରି ରଖିପାରିଥିଲେ। ତାଙ୍କର ବିୟୋଗ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏଥିସହିତ ପ୍ରଧାନମନ୍ତ୍ରୀ ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଏବଂ ସାନ୍ତ୍ୱନା ଜଣାଇଛନ୍ତି।