ତୁଷୁରା ହସ୍ପିଟାଲକୁ ସିଏଚସି ଦାବିରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳା ପତାକା ପ୍ରଦର୍ଶନ

ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରିବା ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ପଦଯାତ୍ରା କରି କଳା ପତକା ଦେଖାଇ ପ୍ରତିବାଦ କରିଥିବା ୟୁଥ ଏକ୍ସନ କମଟି ତୁଷୁରା ଆଜି ପୁଣିଥରେ ମହିଳା ଓ ଶିଶୁ ବିକାଶ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳା ପତାକା ଦେଖାଇ ବିରୋଧ କରିଛି। ଏନେଇ ତୁଷୁରା ପୁଲିସ ୪ଜଣ ଯୁବକକୁ ଥାନାରେ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଡାକ୍ତର ନିଯୁକ୍ତିକୁ ନେଇ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ମନ୍ତ୍ରୀଙ୍କୁ ୧୫ ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ବିରୋଧ କରିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ଟୁକୁନି ସାହୁ ଗୁଡ଼ଭେଲା ବ୍ଲକରେ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପାଇଁ ଦିଆଯାଉଥିବା ଏଲପିଜି ଗ୍ୟାସର ଲୋକାର୍ପଣ କରିବାକୁ ଆସିଥିଲେ। କିନ୍ତୁ ଫେରିବା ସମୟରେ ତୁଷୁରା ସହର ଭିତରେ କଳା ପତକା ଦେଖାଇ ପ୍ରତିବାଦ କରିଥିବା ଜଣାପଡ଼ିଛି। ତୁଷୁରା ପୁଲିସ ଏନେଇ ପୂର୍ବରୁ ସୂଚନା ପାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁନ ୧୭ ତାରିଖରେ ମଧ୍ୟ ମହିପୁର ଛକରେ ସଂଗଠନର କର୍ମକର୍ତ୍ତାମାନେ ପ୍ଲାକାର୍ଡ ସହ କଳା ପତକା ଦେଖାଇ ବିରୋଧ କରିଥିଲେ। ଡାକ୍ତରଖାନାରେ ୨ଜଣ ଡାକ୍ତର ଯୋଗ ଦେଇଥିଲେ ମଧ୍ୟ ସିଏଚସି କରିବା ପାଇଁ ଦାବି ହେଉଛି। ତେବେ ତୁଷୁରା ଡାକ୍ତରଖାନାରେ ଥିବା ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ପରେ ତୁଷୁରାରେ ଅସନ୍ତୋଷ ଦେଖାଦେଇଛି ।