ପରୀକ୍ଷା ପାଇଁ ଦାବି କଲେ ଆଇଟିଆଇ ଛାତ୍ର

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ଯୋଗୁ ପରୀକ୍ଷା ବାତିଲ ହେବାରୁ ଶତାଧିକ ଆଇଟିଆଇ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସରକାରୀ ଆଇଟିଆଇର ଶତାଧିକ ଶିକ୍ଷାର୍ଥୀ ଏବିଭିପି ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ପହଂଚି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୭ରୁ ଆରମ୍ଭ ହୋଇଥିବା ଆଇଟିଆଇ ଶିକ୍ଷାର୍ଥୀଙ୍କ ଶିକ୍ଷା ଅବଧି ୨୦୧୯ରେ ଶେଷ ହେବାର ଥିଲା। କିନ୍ତୁ କୌଣସି କାରଣରୁ ୨୦୧୯ ଅଗଷ୍ଟ ମାସରେ ହୋଇଥିବା ୪ର୍ଥ ସେମିଷ୍ଟାରରେ ଏମାନଙ୍କର ବ୍ୟାକ ଲାଗିଥିଲା। ବ୍ୟାକ ପରୀକ୍ଷା ମାର୍ଚ୍ଚ ୨୦୨୦ରେ ହେବାକୁ ଥିବାବେଳେ କରୋନା ଯୋଗୁ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚି ଯାଇଥିଲା। ଏନେଇ କଲେଜ କର୍ତୃପକ୍ଷଙ୍କୁ ପଚାରିବାରୁ ଜେନେରାଲ ପରୀକ୍ଷା ସହିତ ତାଙ୍କ ବ୍ୟାକ ପରୀକ୍ଷା ହେବ ବୋଲି ସୂଚନା ମିଳିଥିଲା। ହେଲେ ଗତ ମାର୍ଚ୍ଚ ୨୦୨୧ରେ ଜେନେରାଲ ପରୀକ୍ଷା ସରି ଯାଇଥିବାବେଳେ ୨୦୧୯ ବ୍ୟାଚର ବ୍ୟାକ ପରୀକ୍ଷା ଏଯାଏଁ ହୋଇ ପାରିନାହିଁ। ଫଳରେ ଉକ୍ତ ପରୀକ୍ଷାର୍ଥୀଙ୍କ ଶିକ୍ଷା ଅବଧି ଏଯାଏଁ ୫ ବର୍ଷରେ ପହଂଚିଛି। ଅନ୍ୟପଟେ ଉକ୍ତ ଶିକ୍ଷାର୍ଥୀମାନେ ପରୀକ୍ଷା ପାସ କରିନଥିବାରୁ ଉଭୟ ସରକାରୀ ଓ ବେସରକାରୀ କର୍ମସଂସ୍ଥାନରେ ଚାକିରି ପାଇବାରେ ବିଫଳ ହୋଇ ଖାଲି ବସି ରହିଛନ୍ତି। ଏଭଳି ସ୍ଥିତିରେ ଅନେକ ଶିକ୍ଷାର୍ଥୀ ଅବସାଦର ଶିକାର ହେଉଥିବା ଆଇଟିଆଇ ଛାତ୍ର ସଂଘ ଅଭିଯୋଗ କରିଛି। ତେଣୁ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଯଥାଶୀଘ୍ର ସମସ୍ୟାରେ ସମାଧାନ ପାଇଁ ଆଇଟିଆଇ ଛାତ୍ରମାନେ ଜିଲ୍ଲାପାଳଙ୍କୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଟେକନିକାଲ ସେଲ ଛାତ୍ର ସଂଗଠନର ଫିରୋଜ କୁମାର ସାହୁଙ୍କ ନେତୃତ୍ୱରେ ଆଇଟିଆଇ କଲେଜର ସୋମରାଜ ନାୟକ, ସିଦେ୍ଧଶ୍ୱର ସା, ରଞ୍ଜନ ଛତ୍ରିଆ, ଆଦର୍ଶ ନନ୍ଦ, ଅମିତ ହାତୀ, ଓମ କୁମାର ଚନ୍ଦନ ଓ ରବି ଘିବେଲା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।