ଟିକାକରଣ କେନ୍ଦ୍ର ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରର ମଦରାସାରେ ଖିଦମତ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ଟିକାକରଣ କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି। ଏହାସହ ଲୋକଙ୍କୁ ଟିକା ପ୍ରଦାନ ପାଇଁ ଖିଦମତ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଟିକାକରଣ କେନ୍ଦ୍ରର ପ୍ରଶଂସା କରିଛନ୍ତି ଶ୍ରୀ ଦାସ। ଶ୍ରୀ ଦାସ କହିଛନ୍ତି ଯେ, ଟିକା ଗ୍ରହଣ, ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ସ୍ୱଚ୍ଛତା ତଥା ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରି କରୋନାକୁ ପ୍ରତିହତ କରିହେବ। ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପ୍ରସ୍ତୁତ ରହିଛି। ସମସ୍ତ ଜିଲ୍ଲାରେ ଅମ୍ଳଜାନ ପ୍ଲାଣ୍ଟର ଉଦଘାଟନ କରାଯାଇଛି। ଶିଶୁଙ୍କ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କୁ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଧ୍ୟାନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର, ନର୍ସ ତଥା ମେଡିକାଲ କର୍ମଚାରୀଙ୍କୁ ତୃତୀୟ ଲହରର ମୁକାବିଲା ପାଇଁ ଟ୍ରେନିଂ ଦିଆଯାଇଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାକୁ ଖୁବଶୀଘ୍ର୍ର ଆହୁରି ୧୮ ହଜାର ଟିକା ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଶ୍ରୀ ଦାସ କହିଛନ୍ତି।

ସେହିପରି ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଶ୍ରୀ ଦାସ ଲୋକଙ୍କ ସହ ଟିକାକରଣକୁ ନେଇ ସେମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଛନ୍ତି। ଏଥିସହ ଟିକାକରଣରେ ନିୟୋଜିତ ଥିବା ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।