ଆଂଶିକ ଲକଡାଉନ ପରେ ସହରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସପି

ରାୟଗଡା,ଏନ୍ଏନ୍ଏସ୍: ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଜୁନ୍ ମାସରୁ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି ୧୬ ଦିନ ବୃଦ୍ଧି କରିଥିବା ବେଳେ ଏହି ସମୟରେ ଜିଲ୍ଲାରେ କିଛିଟା କୋହଳ କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟବିକ୍ରୟ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ସଦର ମହକୁମାରେ ମଧ୍ୟ କୋଭିଡ-୧୯ କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କିପରି କଡାକଡି ଭାବେ ମାନୁଛନ୍ତି ତାର ସମୀକ୍ଷା କରିଥିଲେ।

ଆଜି ମଧ୍ୟାହ୍ନରେ ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଥିଲେ। ବିଶେଷ କରି କପିଳାସ ଛକ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଓ ଓଭରବ୍ରିଜ ତଳେ ଥିବା ପରିବା ବଜାର ମୁଖ୍ୟ ବଜାର ପରିକ୍ରମା କରି ବ୍ୟବସାୟୀମାନଙ୍କୁ ନିୟମ ମଧ୍ୟରେ ରହି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବଣିକ ସଂଘ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଆଲୋଚନା କରିଥିଲେ। ତେଣୁ ଦୋକାନ ବଜାର ଖୋଲିବା ସମୟରେ କୋଭିଡ-୧୯ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରି ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ବ୍ୟବସାୟୀମାନେ ବିଶେଷ ଗୁରୁତ୍ୱ ଦେବା ପାଇଁ ବଣିକ ସଂଘକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।