ନୂଆଦିଲ୍ଲୀ: ଜାତୀୟ ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ସମୂହକୁ ସମ୍ବୋଧନ କରିଛନ୍ତି। ମୋଦୀ କହିଛନ୍ତି ଯେ, ଡାକ୍ତର ହେଉଛନ୍ତି ଈଶ୍ୱରଙ୍କ ଦ୍ୱିତୀୟ ରୂପ। ଡାକ୍ତରମାନେ ଦେଢ଼ ବର୍ଷ ହେବ ଦିନ-ରାତି ପରିଶ୍ରମ କରି ଉଦାହରଣ ସୃଷ୍ଟି କରିଛନ୍ତି। ଡାକ୍ତର ‘ଦେବଦୂତ’ ସାଜି କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଅନ୍ୟ ଜୀବନ ବଞ୍ଚାଇବାକୁ ଯାଇ ଅନେକ ଡାକ୍ତର ନିଜ ଜୀବନ ମଧ୍ୟ ହରାଇଛନ୍ତି।
ମୋଦୀ ଆହୁରି କହିଛନ୍ତି ଯେ, ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ପୂର୍ବାପେକ୍ଷା ଅଧିକ ଭଲ କରାଯାଇଛି। ଚଳିତ ବର୍ଷ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ୨ଗୁଣା ଅଧିକ କରାଯାଇଛି। ଏମ୍ସ ସଂଖ୍ୟା ମଧ୍ୟ ବଢ଼ାଯାଉଛି। ମେଡିକାଲ କଲେଜ ସଂଖ୍ୟା ବି ପାଖାପାଖି ଦେଢ଼ ଗୁଣା ବଢ଼ାଯାଇଛି। ଆମ ଦେଶ କରୋନା ଲଢ଼େଇରେ ବି ଜିତିବ ଓ ବିକାଶ ଦିଗରେ ମଧ୍ୟ ଶୀର୍ଷରେ ପହଂଚିବ। କରୋନା ଲଢ଼େଇରେ ଯୋଗ ସହାୟକ ହୋଇଛି। ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡ଼ା ଆଇନ କରାଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅନୁଭୂତିକୁ ଡକ୍ୟୁମେଣ୍ଟେସନ କରିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। ଚିକିତ୍ସା ସମ୍ପର୍କୀତ ଡକ୍ୟୁମେଣ୍ଟେସନ ଆଗାମୀ ପୀଢ଼ୀକୁ ନୂଆ ଦିଶା ଦେବ ବୋଲି ମୋଦୀ କହିଛନ୍ତି।