ନୂଆଦିଲ୍ଲୀ,ଏଜେନ୍ସି: ଲିଫ୍ଟରୁ ଖସି ୩ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଦ୍ବାରକା ସେକ୍ଟର ୧୪ ଅଞ୍ଚଳରେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ମଙ୍ଗଳବାର ଦ୍ୱାରକା ସେକ୍ଟର ୧୪ ଅଞ୍ଚଳରେ ଡିଡିଏ କନଷ୍ଟ୍ରକ୍ସନରେ କାମ ଚାଲୁଥିବା ବେଳେ ଲିଫ୍ଟରୁ ୪ ଜଣ ଶ୍ରମିକ ଖସି ପଡିଥିଲେ। ଆହତ ତିନି ଜଣଙ୍କୁ ସେକ୍ଟର -୧୨, ଦ୍ୱାରକା ସ୍ଥିତ ଶ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅନ୍ୟଜଣଙ୍କୁ ଦ୍ୱାରକାରେ ଥିବା ତାରକ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ତେବେ ଡାକ୍ତରଖାନାରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ମୃତକ ହେଉଛନ୍ତି ୫୦ ବର୍ଷୀୟ ପନ୍ନା ଲାଲ ଯାଦବ, ୨୯ ବର୍ଷୀୟ ବସନ୍ତ ଓ ମଙ୍ଗଲ ପ୍ରସାଦ ସିଂ ବୋଲି ଜଣାପଡିଛି। ଅନ୍ୟ ଜଣେ ଶ୍ରମିକ ସୁରେନ୍ଦ୍ର ରାୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଧାରା ୨୮୭ (ଯନ୍ତ୍ରାଂଶ ପ୍ରତି ଅବହେଳା ଆଚରଣ), ୨୮୮ (ଅଟ୍ଟାଳିକାକୁ ଭାଙ୍ଗିବା କିମ୍ବା ମରାମତି କରିବାରେ ଅବହେଳା ଆଚରଣ), ୩୩୭ (ଜୀବନ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା) ଏବଂ ୩୦୪(ଇ) ( ଅବହେଳା କାରଣରୁ ମୃତ୍ୟୁ) ଧାରା ଲଗାଯାଇ ମାମଲା ରୁଜୁ ହୋଇଛି। ଯୋଗାଯୋଗ କରାଯିବା ପରେ ଡିଡିଏର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଏକ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କାର୍ଯ୍ୟରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।