ନୂଆଦିଲ୍ଲୀ,ଏଜେନ୍ସି: ‘ମନ କି ବାତ’ କାର୍ଯ୍ୟକ୍ରମର ୭୮ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମ୍ବୋଧନ ସମୟରେ ଖେଳ ଜଗତରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କ ଅବଦାନ ବିଷୟରେ ଆଲୋଚନା କରିଛନ୍ତି ମୋଦୀ। ଏହି ସହିତ ଏହି ରେଡିଓ କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ ବିଷୟରେ ଆଲୋଚନା କରିଛନ୍ତି। ଗୋଟିଏ ଦିନରେ ମାଗଣା ଟିକାକରଣର ଅଭିଯାନକୁ ପ୍ରଶଂସା କରିଛନ୍ତି ମୋଦୀ। ଟୋକିଓ ଅଲମ୍ପିକକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି। ଏହି ସମୟରେ ଆମେ କିପରି କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କୁ ଭୁଲିଯିବା।
କିଛି ଦିନ ତଳେ କରୋନାରେ ମିଲଖା ସିଂଙ୍କୁ ହରେଇଛୁ। ସେ ଡାକ୍ତରଖାନାରେ ଥିବା ସମୟରେ ମୁଁ ତାଙ୍କ ସହିତ କଥା ହୋଇଥିଲି ଶୀଘ୍ର ସୁସ୍ଥ ହୋଇ ଅଲମ୍ପିକରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳିଙ୍କୁ ପ୍ରେରଣା ଯୋଗାଇ ଦେବେ ବୋଲି କଥା ହୋଇଥିଲେ। ମୋର ଏବେ ବି ମନେ ଅଛି ୨୦୧୪ରେ ମିଲଖା ସିଂ ସୁରତ ଆସିଥିଲେ। ଆମେ ଏକ ରାତ୍ରି ମାରାଥନ ପ୍ରସ୍ତୁତ କରିଥିଲୁ। ସେହି ସମୟରେ ଆମେ ସ୍ପୋର୍ଟସ ନେଇ ଏକ ସୂଚୀ ପ୍ରସ୍ତୁତ କରିଥିଲୁ ଯାହା ମତେ ଅଧିକ ପ୍ରେରଣା ଯୋଗାଇଥିଲା। କରୋନା ପାଇଁ ଗତ ବର୍ଷ ଟୋକିଓ ଅଲମ୍ପିକ ସ୍ଥଗିତ ରଖାଯାଇଥିଲା।
ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏଁ ଟୋକିଓ ଅଲମ୍ପିକ ଖେଳାଯିବ। ଯେତେବେଳେ ପ୍ରତିଭା, ନିଷ୍ଠା, ସମର୍ପଣ ଓ ଜଣେ ଖେଳାଳିର ଆତ୍ମା ଏକାଠି ହୁଏ ତେବେ ବିଜୟ ହାସଲ କରିବା ସୁନିଶ୍ଚିତ ବୋଲି କହିଛନ୍ତି ମୋଦୀ। ଆମ ଦେଶରେ ଅନେକ ଖେଳାଳି ଛୋଟ ଛୋଟ ଜିଲ୍ଲା, ଗାଁରୁ ଆସି ମଧ୍ୟ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହା ସହିତ ଟୋକିଓ ଟିକେଟ ପାଇଥିବା ଅନେକ ଆଥଲେଟଙ୍କ ଜୀବନ ସଂଘର୍ଷ ବିଷୟରେ କହିଛନ୍ତି ମୋଦୀ। ଏହା ସହିତ ଟିକାକରଣକୁ ନେଇ ବିଭିନ୍ନ ରାଜ୍ୟରେ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ଦିନରେ ମାଗଣା ଟିକାକରଣ ଅଭିଯାନରେ ୮୬ ଲକ୍ଷ ଲୋକ ଟିକା ନେଇ ଏକ ଇତିହାସ ସୃଷ୍ଟି କରିଛନ୍ତି ଯାହାକୁ ପ୍ରଶଂସା କରିଛନ୍ତି ମୋଦୀ।
ବିଭିନ୍ନ ଗାଁ ଗୁଡିକରେ ଟିକାକରଣକୁ ନେଇ ଉଠୁଥିବା ଗୁଜବ ଠାରୁ ଦୂରରେ ରହି ଟିକାକରଣରେ ସାମିଲ ହେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ। କରୋନାର ସମସ୍ତ ନିୟମମାନି ଟିକାକରଣ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦୀ। ଆମ ଚାରିପାଖରେ ଅନେକ ଗଛ ରହିଛି ଯାହାର ଅନେକ ଔଷଧିୟ ଗୁଣ ରହିଛି, ହେଲେ ଆମେ ସେହି ବିଷୟରେ ଜାଣିପାରି ନଥାଉ। ମଧ୍ୟପ୍ରଦେଶର ରାମଲୋତନ କୁଶୱା ଜୀ ତାଙ୍କ ଚାଷ ଜମିରେ ଏକ ଦେଶୀ ସଂଗ୍ରହାଳୟ ନିର୍ମାଣ କରିଛନ୍ତି। ଯେଉଁଥିରେ ସେ ଶହ ଶହ ଔଷଧ ଉଦ୍ଭିଦ ଏବଂ ମଞ୍ଜି ସଂଗ୍ରହ କରିଛନ୍ତି ଯାହା ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୋଦୀ।