ଡିସେମ୍ବର ସୁଦ୍ଧା ସମଗ୍ର ଦେଶବାସୀଙ୍କୁ ଟିକା ଲଗାଇବାକୁ ମୋଦୀ ଦେଲେ ଟାର୍ଗେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଜାରି ରହିଥିବା ଟିକାକରଣକୁ ନେଇ ଆଜି ସମୀକ୍ଷା ବୈଠକ ଡକାଇଥିଲେ। ଉକ୍ତ ବୈଠକରେ କରୋନା ଟାସ୍କ ଫୋର୍ସ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ସାମିଲ ଥିଲେ। ଏହି ଅବସରରେ ଅଧିକାରୀଙ୍କୁ ଭ୍ୟାକ୍ସିନର ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ମୋଦୀ କହିଥିଲେ। ଏଥିସହିତ ଡିସେମ୍ବର ସୁଦ୍ଧା ସମଗ୍ର ଦେଶବାସୀଙ୍କୁ ଟିକା ଲଗାଇବାକୁ ମୋଦୀ ଟାର୍ଗେଟ ଦେଇଛନ୍ତି।

ଭାରତରେ କରୋନା ଟିକାକରଣ ୩୧ କୋଟି ଟପିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଶୁକ୍ରବାର ୧୮ରୁ ୪୪ ବର୍ଷ ମଧ୍ୟରେ ୩୫.୯ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଓ ୭୭ହଜାର ୬୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ୭.୮୬ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଓ ୧୭.୦୯ ଲକ୍ଷଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି।