ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ଏହି ବୈଠକ ଦିନ ୧୧ଟାରୁ ଆରମ୍ଭ ହେବ। କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏହି କାରଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସମସ୍ତଙ୍କ ନଜର ଏହି ବୈଠକ ଉପରେ ରହିଛି। ସୂତ୍ର ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ।
୨୦୧୯ରେ ପୁଣି ଥରେ ଏନଡିଏ ସରକାର ଗଠନ ହେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇ ନାହିଁ। ଶିବସେନା ଏବଂ ଶିରୋମଣୀ ଅକାଳୀ ଦଳ ଏନଡିଏ ଛାଡିବା ଏବଂ ଏଲଜେପି କୋଟାରୁ ରାମ ବିଳାସ ପାଶୱାନଙ୍କ ପରଲୋକ ଯୋଗୁଁ ମନ୍ତ୍ରିମଣ୍ଡଳରେ ସ୍ଥାନ ଖାଲି ରହିଛି। ଏହି କାରଣରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଦାବି ହେଉଛି।
ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ସରକାର ଏବଂ ନେତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବୈଠକ ହୋଇଥିଲା। ଯେଉଁଥିରେ ବର୍ତ୍ତମାନର ମନ୍ତ୍ରୀମାନଙ୍କର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ନୂଆ ସଦସ୍ୟ ଚୟନ ଉପରେ ମଧ୍ୟ ବିଚାର କରାଯାଇଥିଲା। ସୂତ୍ର ଅନୁସାରେ ମନ୍ତ୍ରିମଣ୍ଡଳରେ ଦୁଇଟି ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରଥମ ୨୦୨୨ରେ ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ଦ୍ୱିତୀୟରେ ଏନଡିଏକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। କୁହାଯାଉଛି ଯେ ଉତ୍ତରପ୍ରଦେଶରୁ ୩, ଉତ୍ତରାଖଣ୍ଡରୁ ଜଣେ, ଗୁଜୁରାଟରୁ ଜଣେ, ଗୋଆରୁ ଜଣେ, ହିମାଚଳ ପ୍ରଦେଶରୁ ଜଣେ ଏବଂ ପଞ୍ଜାବରୁ ଜଣେ ନୂଆ ସଦସ୍ୟଙ୍କୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିପାରେ।