ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ବିଜେପିର ଦାବି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁଙ୍କ ସମସ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ବିଜେପି ସାଂସଦ ସଂଘମିତ୍ରା ସୌର୍ଯ୍ୟ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି। ଏହି ଚିଠିରେ ନୁସରତ ବିବାହକୁ ନେଇ ଭୁଲ ତଥ୍ୟ ଦେଇଥିବା ବିଜେପି ସାଂସଦ ପ୍ରକାଶ କରିଛନ୍ତି। ଲୋକସଭାରେ ଶପଥ ନେବା ସମୟରେ ନୁସରତ ନିଜକୁ ବିବାହିତା ଦର୍ଶାଇଥିବାବେଳେ  ନିକଟରେ ଭାରତୀୟ ଆଇନ ହିସାବରେ ତାଙ୍କ ବିବାହ ବୈଧ ନୁହେଁ ବୋଲି  ବୟାନ ଦେଇଛନ୍ତି।

ବିଜେପି ସାଂସଦ ସଂଘମିତ୍ରା ସୌର୍ଯ୍ୟ ଏଥିକ୍ସ କମିଟି ନିକଟକୁ ନୁସରତଙ୍କ ମାମଲା ପଠାଇବାକୁ ମଧ୍ୟ ଦାବି କରିଛନ୍ତି। ଅନ୍ୟପଟେ ଏହା ନୁସରତଙ୍କ ବ୍ୟକ୍ତିଗତ ମାମଲା ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି। କିନ୍ତୁ ସଂସଦରେ ଏଭଳି ମିଥ୍ୟା ସୂଚନା ପ୍ରଦାନ କରିବା ନିଶ୍ଚିତ ରୂପେ ଅପରାଧ ହୋଇଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ବିଜେପି ସାଂସଦ କହିଛନ୍ତି।