ମୂଲ୍ୟବାନ କାଠ ଓ ଗାଡ଼ି ଜବତ, ଡ୍ରାଇଭର ଫେରାର

ସଇଁନ୍ତଳା,ଟିକ୍ରାପଡା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ପଞ୍ଚାୟତସ୍ଥିତ ଭୋଇରପଡ଼ା ନିକଟରେ ବନ ବିଭାଗ ପ୍ରାୟ ୪ଲକ୍ଷ ଟଙ୍କାର ମୂଲ୍ୟବାନ ଖଇର ମଞ୍ଜ କାଠ ଜବତ କରିବା ସହ ଏକ ଗାଡ଼ିକୁ ଅଟକ ରଖିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳୁ ଫରେଷ୍ଟର ସୁଧୀର କୁମାର ଜେନା, ପାରା ଫରେଷ୍ଟ ଗାର୍ଡ ଲମ୍ବୋଦର ପୌଢ଼ ଓ ହେମାନନ୍ଦ ବାଗ ପେଟ୍ରୋଲିଂ କରୁଥିବା ସମୟରେ ଭୋଇରପଡ଼ା ନିକଟରେ କାଠ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ। ପରେ ଉକ୍ତ ସ୍ଥାନରେ ଚଢ଼ଉ କରି ମୂଲ୍ୟବାନ କାଠକୁ ଜବତ କରିବାରେ ସଫଳ ହୋଇଥିଲେ। ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ଥିବା ଜଣାପଡ଼ିଛି। ଏହି କାଠ ସବୁ ଖସା ସଂରକ୍ଷିତ ଜଙ୍ଗଲରୁ ଅଣାଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଜଙ୍ଗଲରୁ କାଠ ଚୋରା ଚାଲାଣ ଦିନକୁଦିନ ବଢ଼ି ଚାଲିଥିବାବେଳେ ବହୁବାର ସାହସିକତା ଦେଖାଇ ବନ ବିଭାଗର ଫରେଷ୍ଟର ସୁଧୀର କୁମାର ଜେନା ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବାରେ ସଫଳ ହୋଇଛନ୍ତି।