ନୂଆପଡ଼ା,ଏନ୍ଏନ୍ଏସ୍: ଆଜି ସକାଳୁ ସ୍ଥାନୀୟ ମନ୍ଦିରପଡାର ପତୋରା ରାସ୍ତା ନିକଟରେ ଏକ ନବଜାତକ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି କଟାମୁଣ୍ଡକୁ ଜବତ କରିଛି। ତେବେ ଏହି କଟା ମୁଣ୍ଡ କେଉଁଠୁ ଆସିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଛୁଆ ଜନ୍ମ ହେଲା ପରେ କିଏ ଫିଙ୍ଗି ଦେଇଥିବ ଓ ତାର ଦେହକୁ କୁକୁର ଖାଇ ମୁଣ୍ଡକୁ ଟାଣି ଆଣିଥିବା ଲୋକେ ଅନୁମାନ କରୁଛନ୍ତି। ଅନ୍ୟପଟେ କୌଣସି ବ୍ୟକ୍ତି ଗୁଣି ଗାରେଡିକୁ ନେଇ ନବ ଜାତକ ଶିଶୁକୁ ବଳି ଦେଇ ଫିଙ୍ଗି ଦେଇଥିବ ଓ ତାକୁ କୁକୁର ଟାଣି ଆଣିଥିବା ମଧ୍ୟ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରିବ। ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ନୂଆପଡା ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କୁ ପଚାରିବାରୁ ତଦନ୍ତ କରଯାଉଛି ଏବଂ ସତ୍ୟାସତ୍ୟ ଆଧାରରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି।