କୌଣସି ବି ସ୍ଥାନରେ କୋଭିଡ ମୃତ୍ୟୁ ହେଲେ ପଞ୍ଜିକୃତ ହେବ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ଯେ କୌଣସି ସ୍ଥାନରେ କୋଭିଡ ମୃତ୍ୟୁ ହେଲେ ତାକୁ ପଞ୍ଜୀକରଣ କରାଯିବ। ଏହା ସହ କୋଭିଡ ମୃତ୍ୟୁ ପ୍ରମାଣପତ୍ର ଦିଆଯିବ। ମୃତକଙ୍କ ବହୁବିଧ ରୋଗ ଥିଲେ ମଧ୍ୟ କୋଭିଡରେ ମୃତ୍ୟୁ ହୋଇଥିଲେ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କୋଭିଡ ଲେଖାଯିବ। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି।

ସୂଚନା ଅନୁସାରେ କିଛି ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା କମ ଦେଖାଉଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି କରୋନାରେ ମୃତ୍ୟୁ ହୋଇଥିଲେ ବି ଯେଉଁ ଡାକ୍ତରମାନେ କୋଭିଡ ମୃତ୍ୟୁ ସାର୍ଟିଫିକେଟ ଦେବେ ନାହିଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବର୍ତ୍ତମାନ ସୁଦ୍ଧା କେବଳ ହସ୍ପିଟାଲରେ କୋଭିଡ ଭୂତାଣୁ ଜନିତ ମୃତ୍ୟୁକୁ କୋଭିଡ ମୃତ୍ୟୁ ଭାବରେ ପଞ୍ଜୀକରଣ କରାଯାଉଥିଲା। ଘରେ କିମ୍ବା ଡାକ୍ତରଖାନାର ପାର୍କିଂ ଅଞ୍ଚଳରେ ରୋଗୀଙ୍କର ମୃତ୍ୟୁ ହେଲେ ଏହାକୁ ଗଣତି କରାଯାଉନଥିଲା। ଫଳରେ ପ୍ରକୃତ କରୋନା ମୃତ୍ୟୁ ଓ ଦର୍ଶାଯାଉଥିବା ସଂଖ୍ୟା ମଧ୍ୟରେ ବହୁ ପାର୍ଥକ୍ୟ ଆସୁଥିବା ଅଭିଯୋଗ ହେଉଥିଲା।

ବିଶେଷତଃ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଦର୍ଶାଯାଉଥିବା କୋଭିଡ ମୃତ୍ୟୁ ଓ ପ୍ରକୃତ ମୃତ୍ୟୁ ସଂଖ୍ୟା ମଧ୍ୟରେ ଢ଼େର ଫରକ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିସହ କୋଭିଡ ମୃତକଙ୍କର ଆତ୍ମୀୟଙ୍କୁ ରାଜ୍ୟ ସରକାର ୪ ଲକ୍ଷ ଅନୁକମ୍ପା ରାଶି ଦେବା ନେଇ ହୋଇଥିବା ଆବେଦନ ଉପରେ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ଯେ, ଏହା ସମ୍ଭବ ନୁହେଁ। ଲକଡାଉନ ଯୋଗୁଁ ରାଜ୍ୟ ଗୁଡ଼ିକର ଆୟ କମିଯାଇଛି। ଫଳରେ ଏତେ ଟଙ୍କା ଦିଆଯାଇ ପାରିବ ନାହିଁ।