କାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା କାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ। କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁସାରେ ଟିକାକରଣ ହେବ। ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ ନେଇ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଆସନ୍ତା କାଲିଠୁ ରାଜ୍ୟର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯିବ। ରାଜ୍ୟ ଆଣିଥିବା ଓ କେନ୍ଦ୍ର ଯୋଗାଇଥିବା ଟିକା ଲୋକମାନଙ୍କୁ ଦିଆଯିବ। ଟିକାକରଣ ପାଇଁ ପ୍ରତ୍ୟେକ ବ୍ଲକ୍ ଓ ଏନଏସିରେ ୫ଟି ଲେଖାଏଁ ସେସନ୍, ପୌର ପରିଷଦରେ ୧୦ଟି ସେସନ ଏବଂ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଠିକ୍ ସମୟରେ ଦ୍ୱିତୀୟ ଡୋଜ୍ ଦିଆଯିବ। ଏହା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ ଆସନ୍ତା କାଲିଠାରୁ ରାଜ୍ୟର ୨ ହଜାର ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯିବ। ବର୍ତ୍ତମାନ ୧୦ ଲକ୍ଷ କୋଭିସିଲ୍ଡ ଏବଂ ୪ ଲକ୍ଷ କୋଭାକ୍ସିନ ମହଜୁଦ୍ ରହିଛି। ୫୦ ପ୍ରତିଶତ ଅନଲାଇନ ଏବଂ ୫୦ ପ୍ରତିଶତ ଅଫଲାଇନ ପଞ୍ଜିକରଣ ମାଧ୍ୟମରେ ଟିକାକରଣ କରାଯିବ। କରୋନାର ତୃତୀୟ ଲହରକୁ ଲକ୍ଷ କରି ସରକାର କ୍ୟାମ୍ପେନ ମୋଡରେ ଟିକାକରଣ ଆରମ୍ଭ କରିଛନ୍ତି।