ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପାଇଁ ଆଉ ଏକ ଖୁସିର ଦିନ। ଭାରତର ‘ବାସୋପଯୋଗୀ ରାଜଧାନୀ’ ତାଲିକାରେ ଭୁବନେଶ୍ୱର ନାମ ରହିଛି। ଦେଶର ଶ୍ରେଷ୍ଠ ୧୦ ସହର ଭିତରେ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ୱର। ଏପିରିକି ଭାରତର ରାଜଧାନୀ ଦିଲ୍ଲୀ, ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ପଛରେ ପଡ଼ିଛନ୍ତି। ବିଜ୍ଞାନ ଓ ପରିବେଶ କେନ୍ଦ୍ର(ସିଏସ୍ଇ) ଭାରତର ବାସୋପଯୋଗୀ ସୂଚକାଙ୍କ ରିପୋର୍ଟରେ ତାହା ସ୍ପଷ୍ଟ କରାଯାଇଛି। ରିପୋର୍ଟ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି।
‘ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନ୍ଭରମେଣ୍ଟ(ସିଏସ୍ଇ) ସହରର ଜୀବନଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଟ୍ରାନ୍ସପୋର୍ଟ ସୁବିଧା, ଶିକ୍ଷାନୁଷ୍ଠାନ ସୁବିଧା ଭଳି ନାଗରିକଙ୍କୁ ମିଳୁଥିବା ସବୁ ସୁବିଧାକୁ ‘ମାପଦଣ୍ଡ’ ଭାବରେ ନିଆଯାଇଛି। ତଦନୁଯାୟୀ ଭାରତର ସହଜ ଜୀବନଧାରଣ ସୂଚକାଙ୍କ ତାଲିକାରେ ଭୁବନେଶ୍ୱର ୪ର୍ଥ ସ୍ଥାନ ହାସଲ କରିଛି। ନାଗରିକ ଅନୁଭୂତି ସର୍ବେକ୍ଷଣରେ ଭୁବନେଶ୍ୱର ୯୪.୮ ପ୍ରତିଶତ ନମ୍ବର ପାଇଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଓ ଗର୍ବ କରିବା ଭଳି ଖବର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ସିଏସ୍ଇ ରିପୋର୍ଟ ଅନୁସାରେ ପ୍ରଥମ ସ୍ଥାନରେ ବେଙ୍ଗାଲୁୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ ଓ ତୃତୀୟ ସ୍ଥାନରେ ସିମଲା ରହିଛି। ମୁମ୍ବାଇ ପଞ୍ଚମରେ ଥିବାବେଳେ ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧୀନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି। ଭୁବନେଶ୍ୱରକୁ ୯୪.୮ ପ୍ରତିଶତ ମାର୍କ ମିଳିଥିବାବେଳେ ସହଜ ଜୀବନଧାରଣ ସୂଚକାଙ୍କ ତାଲିକାରେ ମୁମ୍ବାଇ ୫୮.୨୩ ପ୍ରତିଶତ ଓ ଦିଲ୍ଲୀ ୫୭.୫୬ ପ୍ରତିଶତ ନମ୍ବର ପାଇଛନ୍ତି। ହେଲେ ବେଙ୍ଗାଲୁରୁକୁ ୬୬.୭ ପ୍ରତିଶତ, ଚେନ୍ନାଇକୁ ୬୨.୬୧ ପ୍ରତିଶତ, ସିମଲାକୁ ୬୦.୯୦ ପ୍ରତିଶତ ନମ୍ବର ମିଳିଛି। ୧୦୦ ଜଣରେ ଏହି ସର୍ଭେ ହୋଇଥିଲା।