କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ, ସତ୍ୟନଗର ଶ୍ମଶାନରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ତପୁ ମିଶ୍ର। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ଅଣାଯାଇଥିଲା। ପରିବାର ଲୋକ ଓ ସମ୍ପର୍କୀୟ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନି ଦେଇଥିଲେ। ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷଶ୍ରୀ ମିଶ୍ରଙ୍କ ସମେତ ବହୁ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ତପୁ ମିଶ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଦୀର୍ଘ ୨୯ଦିନ ଧରି ମରଣ ସହିତ ସଂଗ୍ରାମ କରିବା ପରେ ଓଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ରାତିରେ ତାଙ୍କର ପରଲୋକ ହୋଇଛି। ସେ ଓଲିଉଡ୍‌ର ଜଣେ ସଫଳ ଓ ଆଗଧାଡ଼ିର କଣ୍ଠଶିଳ୍ପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତପୁ ପ୍ରାୟ ‌‌ଦୁଇ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ ଜଗତରେ ସକ୍ରିୟ ଥିଲେ। ତେଣୁ ତାଙ୍କ ମୃତ୍ୟୁରେ ଓଡ଼ିଶାର କଳା, ସଂସ୍କୃତି, ସଂଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ମଧ୍ୟ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।