ବିଧବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଖଡ଼ିଆଗଡ଼ ଜଙ୍ଗଲ ନିକଟ ହାତୀ ଟ୍ରେଞ୍ଜ ଭିତରୁ ଜଣେ ବିଧବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ହୋଇଛି। ବାରିପଦା ସଦର ଥାନା ପୁଲିସ ମୃତ ଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ କରିଥିଲା। ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଇଛନ୍ତି। ଉକ୍ତ ଘଟଣାକୁ ନେଇ ଥାନାରେ ୧୩୧/୨୦୨୧ରେ ଏକ ମାମଲା ରୁଜୁ ହୋଇଛି।

ଏହା ଏକ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ସନ୍ତୋଷ ବିଶୋଇ। ମୃତ ମହିଳା ଶାମାଖୁଣ୍ଟା ବ୍ଲକ କେନ୍ଦୁଝରି ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ହାଁସଦାଙ୍କ ବିଧାବା ପତ୍ନୀ ମୁନି ମଣି ହାଁସାଦା(୪୫) ବୋଲି ଜଣାପଡ଼ିଛି। ୫ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଜଣେ ପୁଅ ଓ ୩ ଜଣ ବିବାହିତା ଝିଅ ଅଛନ୍ତି। ମୁନି ତାର ପୁଅ ସହିତ ନରହି ଅଲଗା ରହୁଥିଲେ।

ମୁନିଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରାଇବା ଉଦ୍ଦେଶ୍ୟରେ ହାତୀ ଟ୍ରେଞ୍ଜ ଭିତରେ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରିଥିବା ସନ୍ଦେହ ହେଉଛି। ଆଜି ସକାଳ ସମୟରେ କେନ୍ଦୁଝରି ଗ୍ରାମର ମକା ଚାଷୀମାନେ ତାଙ୍କର ଜମିକୁ ଚାଷ ଦେଖିବାକୁ ଯାଉଥିବା ବେଳେ ଦୂରରୁ ଧୂଆଁ ଉଠୁଥିବାର ଦେଖି ନିକଟକୁ ଯାଇଥିଲେ। ସେଠାରେ ଦରପୋଡ଼ା ଅବସ୍ଥାରେ ଏକ ମହିଳାଙ୍କ ମୃତ ଦେହ ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ।