ଦୁଷ୍କର୍ମ ଓ ଭିଡିଓ ଉତ୍ତୋଳନ ପରେ ଭାଇରଲ କରି ଜେଲ ଗଲେ ୨ ଯୁବକ

ଦେବଗଡ଼,ଏନ୍ଏନ୍ଏସ୍ : ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ଉତ୍ତୋଳନ କରି ଭାଇରଲ କରିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୋଗର ମାତ୍ର ୧୨ ଘଣ୍ଟା ମଧ୍ୟରେ ବାରକୋଟ ଥାନା ପୁଲିସ କେନ୍ଦୁଝର ଜିଲ୍ଲା ବାଂଶପାଣି ଥାନାଞ୍ଚଳ ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାଞ୍ଚଳରୁ ଜଣେ ଲେଖାଏଁ ଯୁବକକୁ ଗିରଫ କରି ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ଏପ୍ରିଲ ୩୦ ତାରିଖରେ ବାରକୋଟ ଥାନାଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ଉକ୍ତ ଗ୍ରାମର ଶିବ ମହନ୍ତ(୨୪) ଓ ତାଙ୍କ ବନ୍ଧୁ ବମ୍ପରଡ଼ା ଗ୍ରାମର ବିଜୁ ମହାକୁଳ (୨୬) ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ଏହାସହ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। କେବଳ ଏତିକି ନୁହେଁ, ଘଟଣା ସମ୍ପର୍କରେ କାହାରିକୁ କହିଲେ ଭିଡିଓ ଭାଇରଲ କରିବାର ଧମକ ଦେଇଥିଲେ। ଫଳରେ ମହିଳା ଜଣକ ଲୋକଲଜ୍ଜ୍ୟା ଭୟରେ ଏକଥା କାହାରି ଆଗରେ ପ୍ରକାଶ ନକରି ଚୁପ ରହିବା ସହ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ। ହେଲେ ଅଭିଯୁକ୍ତମାନେ ଉକ୍ତ ମହିଳାଙ୍କୁ ଫୋନ କରି ଗ୍ରାମକୁ ନ ଆସିଲେ ଭିଡିଓ ଭାଇରଲ କରିବାର ଧମକ ଦେଇ ଆସୁଥିଲେ। ତେବେ ମହିଳା ଜଣକ ଏଥିପ୍ରତି ଗୁରୁତ୍ୱ ନଦେବାରୁ ଅଭିଯୁକ୍ତମାନେ ମହିଳାଙ୍କ ଦୁଷ୍କର୍ମ ବେଳର ଭିଡିଓକୁ ହ୍ୱାଟ୍ସଆପରେ ଭାଇରଲ କରିଥିଲେ। ମହିଳା ଜଣକ ଅନ୍ୟ ଜିଲ୍ଲାରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଉଭୟ ରାତି ପ୍ରାୟ ୯ଟାରେ ବାରକୋଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ତୁରନ୍ତ ୨ଟି ସ୍ୱତନ୍ତ୍ର ଦଳ ଗଠନ କରି ନିଜେ ଏବଂ ବାରକୋଟ ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ଗତିବିଧି ଆଧାରରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ଜଣକୁ କେନ୍ଦୁଝର ଜିଲ୍ଲା ବାଂଶପାଣି ଥାନାଞ୍ଚଳ ଓ ଅନ୍ୟ ଜଣକୁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନାଞ୍ଚଳରୁ ଗିରଫ କରିଥିଲେ।ସେମାନଙ୍କ ନିକଟରୁ ମୋବାଇଲ ଫୋନ ଜବତ କରିବା ସହ ଗତକାଲି ସନ୍ଧ୍ୟାରେ ଉଭୟ ଅଭିଯୁକ୍ତଙ୍କୁ ଦୁଷ୍କର୍ମ, ହତ୍ୟା ଧମକ ଓ ଆଇଟି ଆକ୍ଟରେ କୋର୍ଟ ଚାଲାଣ କରିଥିଲେ।