କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ରାୟଗଡ଼ା,ଏନ୍ଏନ୍ଏସ୍: କରୋନା କାଳରେ ପିତାମାତାଙ୍କୁ ହରାଇ ସର୍ବହରା ହୋଇପଡ଼ିଥିବା ଅନାଥ ଶିଶୁଙ୍କୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି । ଗୋଟିଏ ପରିବାରର ୨ଜଣ ଯାଆଁଳା ଭଉଣୀଙ୍କୁ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶକ୍ରମେ ତାଙ୍କ ମାମୁଁଙ୍କ ପାଖରେ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ଉଭୟଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ନିମନ୍ତେ ପୁଷ୍ଟପୋଷକତା ଅର୍ଥ ବାବଦରେ ମାସିକ ୨ହଜାର ଟଙ୍କା ହିସାବରେ ୨ ମାସ ଲାଗି ଚେକ ପ୍ରଦାନ କରାଯାଇଛି । ଉକ୍ତ ଶିଶୁଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଟଙ୍କା ପ୍ରଦାନ କରାଯିବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଚାଲୁ ରହିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ୨ଜଣଙ୍କ ନାମ ସୁପାରିସ କରାଯାଇଛି।

ସୂଚନାଯୋଗ୍ୟ, ଗତ ମେ’ ମାସ ୫ ତାରିଖରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡ଼ିଆବନ୍ଧ ଗ୍ରାମର ଜ୍ୟୋତି ଚୌଧୁରୀଙ୍କ ମୃତ୍ୟୁ ହୋଇଥିବାବେଳେ ପୂର୍ବରୁ ତାଙ୍କ ସ୍ୱାମୀ ଗିରୀଶ ଚନ୍ଦ୍ର ସୁନାମୁଦିଙ୍କ ମୃତ୍ୟୁ ହୋଇଥିଲା। ଫଳରେ ତାଙ୍କର ୨ ଯାଆଁଳା ଝିଅ ଅନାଥ ହୋଇ ଯାଇଥିଲେ। ଏହି ଖବର ପାଇ ପ୍ରଶାସନ ହସ୍ତକ୍ଷେପ କରି ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।

ସେହିପରି ରାମନାଗୁଡ଼ା ବ୍ଲକ ଅଧିନସ୍ଥ ଢେପ ଗୁମୁଡ଼ା ଗ୍ରାମର ଜଣେ ଶିଶୁ ଗତ ୩ ବର୍ଷ ହେଲା ଅନାଥ ହୋଇ ନିଜ ଜେଜେବାପା ଓ ଜେଜେ ମା’ ପାଖରେ ରହୁଥିଲା। ହେଲେ ଶିଶୁଟି ତା’ର ଜେଜେବାପାଙ୍କୁ ହରାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ ସରକାରୀ ନିୟମ ପ୍ରକାରେ ସେହି ପରିବାରକୁ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଚଳିତ ମହାମାରୀ ସମୟ ମଧ୍ୟରେ କରୋନାରେ କିମ୍ବା ଯେକୌଣସି କାରଣରୁ ପିତାମାତା ଉଭୟଙ୍କୁ ହରାଇଥିବା ୧୮ ବର୍ଷରୁ କମ ବୟସର ଅନାଥ ପିଲାଙ୍କ ଥଇଥାନ ନିମନ୍ତେ ପଦକ୍ଷେପ ଗ୍ରଣ କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଯଦି କୌଣସି ସହୃଦୟ ବ୍ୟକ୍ତି ଅନାଥ ଶିଶୁଙ୍କୁ ପୋଷ୍ୟ ସନ୍ତାନ କରିବାକୁ ଇଚ୍ଛା ପ୍ରକାଶ କରୁଥାନ୍ତି ତେବେ ସେମାନେ ଆଇନସମ୍ମତ ଭାବେ ଗ୍ରହଣ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି ।