ମିନିଆପଲିସି/ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ମହାମାରୀର ଭୟାବହତାକୁ ଭ୍ରୁକ୍ଷେପ ନକରି ହିନ୍ଦୁ ସୋସାଇଟି ଅଫ ମିନ୍ନେସୋଟା (ଏଚ.ଏସ୍.ଏମ.ଏନ) ମାନବ ସମାଜ ପାଇଁ ଅଦମ୍ୟ ପ୍ରେରଣାର ଆଲୋକବର୍ତ୍ତିକା ସାଜିଥିବା ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ ସଦସ୍ୟ ଆମି କ୍ଲୋବୁଚର ମତବ୍ୟକ୍ତ କରିଛନ୍ତି।ମିନ୍ନେସୋଟା ରାଜ୍ୟର ମାପଲଗ୍ରୋଭ ନଗରରେ ପୁରୀ ପରେ ବିଶ୍ଵର ଦ୍ଵିତୀୟ ଗୁଣ୍ଡିଚା ମନ୍ଦିରକୁ ଶୁଭ ଉଦଘାଟନ କରି ଶ୍ରୀମତୀ କ୍ଲୋବୁଚର, ତାଙ୍କ ରାଜ୍ୟରେ ଶାନ୍ତି, ସଂହତି ଏବଂ ପ୍ରଗତିକୁ ବଜାୟ ରଖିବା ନେଇ ଏଚଏସଏମଏନର ପ୍ରଭାବଶାଳୀ ଅବଦାନକୁ ଭୂରିଭୂରି ପ୍ରଶଂସା କରିଥିଲେ। ବିଶେଷକରି ଡଃ ସୀତକଣ୍ଠ ଦାଶଙ୍କ ଅଧକ୍ଷ ଦାୟିତ୍ଵ ଗ୍ରହଣ କରିବା ପରେ ଏଚଏସଏମଏନ ପରିଚାଳନାଧୀନ ହିନ୍ଦୁ ମନ୍ଦିରର ବ୍ୟାପକ ବିକାଶ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ।ଏହା ମଧ୍ୟରେ ପୂଜାରୀ ଓ କର୍ମଚାରୀମାନଙ୍କ ପାଇଁ କ୍ଵାଟରସ ନିର୍ମାଣ, ସୌରଶକ୍ତି କାରଖାନା ସ୍ଥାପନ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ, ଗୋପୁରମର ନବୀକରଣ ଏବଂ ଗୁଣ୍ଡିଚା ମନ୍ଦିର ପ୍ରତଷ୍ଠା ଆଦି ଅନ୍ତର୍ଭୁକ୍ତ ବୋଲି ସିନେଟର ଆମି ସୂଚାଇଥିଲେ।

ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ମେୟର ମାର୍କ ଷ୍ଟିଫେନସନ ଗୁଣ୍ଡିଚା ମନ୍ଦିରର ଶୁଭାରମ୍ଭ ପାଇଁ ଏଚଏସଏମଏନର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ହିନ୍ଦୁ ମନ୍ଦିରର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

ହିନ୍ଦୁ ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ଉତ୍ସବରେ ମିନ୍ନେସୋଟା ପ୍ରଦେଶର ରାଜ୍ୟପାଳ ଟିମ ୱାଲଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସକାଳ ସାଢେ଼ ୧୦ଟା ବେଳେ ରାଜ୍ୟପାଳ ମନ୍ଦିର ପରିସରରେ ପହଞ୍ଚିବା କ୍ଷଣି ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହାପରେ ମନ୍ଦିର ମଧ୍ୟରେ ଥିବା ସମସ୍ତ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ। ପରେ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏକ ସାଧରଣସଭାକୁ ସମ୍ବୋଧନ କରିଥିଲେ। ଉତ୍ତର ଆମେରିକାର ସର୍ବବୃହତ ହିନ୍ଦୁ ମନ୍ଦିରକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ରାଜ୍ୟପାଳ ଉତ୍ସବର ମୁଖ୍ୟ ଆୟୋଜକ ଡଃ ଦାଶଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଏବଂ ପୂର୍ଣ୍ଣାହୁତି, ପ୍ରଧାନ ପୁରୋହିତ ମୁରଲୀ ଭଟ୍ଟରଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା। ପଞ୍ଚଦଶ ବାର୍ଷିକ ଉତ୍ସବ ପାଳନ ଅବସରରେ ଜୁନ ୧୧, ୧୨ ଏବଂ ୧୩ ତାରିଖ, ତିନି ଦିନ ଧରି ‘ଭାରତ ଦର୍ଶନ’ ଶୀର୍ଷକ ଏକ ଦିବ୍ୟ ଖାଦ୍ୟ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ଅନନ୍ୟ ବ୍ୟଞ୍ଜନ ପରିବେଷଣ କାର୍ଯ୍ୟକ୍ରମକୁ କନକ ଦତ୍ତ, ସିଦ୍ଧାର୍ଥ ପ୍ରିୟଦର୍ଶୀ, ଶଙ୍କର୍ଷଣ ଦାସ ଏବଂ ପଦ୍ମା ନାଇଡୁ ପରିଚାଳନା କରିଥିଲେ।
