ପଡ଼ୋଶୀଙ୍କ ଗାଡ଼ି ଜାଳି ଯୁବକ ଅଟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜମି ବିବାଦ ଓ ସାମନ୍ୟ କଳହକୁ ନେଇ ପଡ଼ୋଶୀଙ୍କ ଗାଡ଼ି ଜାଳିଦେବା ଅଭିଯୋଗରେ ଜଣେ ଯୁବକକୁ ସଦର ଥାନା ପୁଲିସ ଅଟକ ରଖିଛି। ଅଟକ ଥିବା ଯୁବକ ଜଣକ ବୁନୁ ପାଣ୍ଡେ ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବିଟିଏମ ମାଉଲିଗୁଡ଼ି ନିବାସୀ ଦୀପକ ନାୟକଙ୍କ ସହ ଗତକାଲି ସକାଳେ ତାଙ୍କ ପଡ଼ୋଶୀ ବୁନୁ ପାଣ୍ଡେ ଏବଂ ତାଙ୍କ ବାପା ନାରାୟଣ ପାଣ୍ଡେ ଜମି ପାଇଁ ଝଗଡ଼ା କରିଥିଲେ। ଏହାସହ ବୁନୁ ଜାମୁ କୋଳି ଖାଇ ଦୀପକଙ୍କ ଉପରେ ଫିଙ୍ଗିଥିଲେ। ଦୀପକ ଏହାକୁ ବିରୋଧ କରିବାରୁ ବୁନୁ ଏବଂ ତାଙ୍କ ବାପା ଦୀପକଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ପରେ ଗତକାଲି ରାତିରେ ଦୀପକ ଏବଂ ପରିବାର ଲୋକେ ଘରେ ଶୋଇଥିବାବେଳେ ବୁନୁ ପାଣ୍ଡେ ଏବଂ ତାଙ୍କ ବାପା ଯାଇ ଦୀପକଙ୍କ ଘରେ ଭଡ଼ା ରହୁଥିବା ପ୍ରମୋଦ ଜସୱାଲଙ୍କ ପଲସର ବାଇକକୁ ପୋଡ଼ି ଦେଇଥିଲେ। ଏହାଦେଖି ଅନ୍ୟ ପଡ଼ୋଶୀମାନେ ଦୀପକଙ୍କୁ ସୂଚନା ଦେବା ପରେ ସେ ନିଆଁ ଲିଭାଇଥିଲେ ହେଁ ବାଇକଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଥିଲା। ଫଳରେ ଆଜି ସକାଳୁ ଏନେଇ ଦୀପକ ସଦର ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।