୭୦୦୦ଙ୍କୁ ନିଯୁକ୍ତି ଦେବ କୋଲ୍ ଇଣ୍ଡିଆ

କୋଲକାତା,ଏଜେନ୍ସି: ସାର୍ବଜନୀନ କ୍ଷେତ୍ରର କୋଇଲା ଖନନ ଓ ରିଫାଇନାରୀ କମ୍ପାନୀ  କୋଲ୍ ଇଣ୍ଡିଆ ଲିମିଟେଡ୍‌ ଚଳିତ ଆର୍ଥିକବର୍ଷ ୨୦୧୯– ୨୦ରେ ପ୍ରାୟ ୭୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଉଲ୍ଲେଖ କରାଯାଇଛି। କମ୍ପାନୀ ସାଧାରଣତଃ ପ୍ରତିବର୍ଷ ୬୦୦୦ ଲୋକଙ୍କୁ ନିଯୁକ୍ତି ଦେଇଥାଏ। ମାତ୍ର ପ୍ରତିବର୍ଷ ଠାରୁ ଚଳିତବର୍ଷ ୧୭%ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯିବ। କମ୍ପାନୀର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆଧୁନିକ, ସ୍ୱୟଂଚାଳିତ ଏବଂ ପର୍ଯ୍ୟାବରଣ ଅନୁକୂଳ ଖନନ ଗତିବିଧିକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ତେଣୁ ନବନିଯୁକ୍ତି ସଙ୍ଗେସଙ୍ଗେ ପଦୋନ୍ନତି ମାଧ୍ୟମରେ ବି କୋଲ୍ ଇଣ୍ଡିଆ ଏହାର କାର୍ଯ୍ୟକାରୀ କ୍ୟାଡର୍ରେ ୨୦୦୦ ଲୋକଙ୍କୁ ସାମିଲ କରିବା ଲାଗି ପ୍ରୟାସ ଚଳାଇଛି। ଅଣକାର୍ଯ୍ୟକାରୀମାନଙ୍କ ପଦୋନ୍ନତି ସହିତ ଜଡ଼ିତ ଆଇନଗତ ବାଧାକୁ ମଧ୍ୟ ସମାପ୍ତ କରିଦିଆଯାଇଛି।

 ଅର୍ଥାତ୍‌ ବର୍ତ୍ତମାନ ପରଠାରୁ ଅଣକାର୍ଯ୍ୟକାରୀମାନଙ୍କୁ ବି ସହଜରେ ପଦୋନ୍ନତି ମିଳିବ। ଅଧିକାରୀଜଣକ  କହିଛନ୍ତି ଯେ, ଚଳିତବର୍ଷ ଆମେ ହାରାହାରି ୧୦୦୦ ଜଣ ଆଧିକାରୀଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ୨୦୦୦ ନୂତନ ଅଧିକାରୀଙ୍କୁ  ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନେଇଛୁ। ଏଥିମଧ୍ୟରେ ପ୍ରାୟ ୪୦ ଜଣଙ୍କର ନିଯୁକ୍ତି ପ୍ରକ୍ରିୟା ପାଖାପାଖି ସମ୍ପୂର୍ଣ୍ଣ ହୋଇସାରିଛି। ଏହାବ୍ୟତୀତ କମ୍ପାନୀ ମଧ୍ୟରେ ଅତିରିକ୍ତ ୨୦୦୦ ଲୋକଙ୍କର ପଦୋନ୍ନତି କରି କାର୍ଯ୍ୟକାରୀ କ୍ୟାଡର୍‌ରେ ସାମିଲ କରିବା ନେଇ ମଧ୍ୟ କମ୍ପାନୀ ଯୋଜନା ରଖିଛି। ଗତ ୩ରୁ ୪ବର୍ଷ ମଧ୍ୟରେ କମ୍ପାନୀ ତରଫରୁ ପ୍ରାୟ ୫୦୦୦ ଜଣ ଅଣକାର୍ଯ୍ୟକାରୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଚଳିତବର୍ଷ ହାରାହାରି ୫୦୦୦ ଅଣକାର୍ଯ୍ୟକାରୀଙ୍କୁ ଭର୍ତ୍ତି କରାଯିବ ବୋଲି ସେ କହିଛନ୍ତି।