କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ତାଙ୍କ ଜବାବ ଦେଇଛନ୍ତି। ବନ୍ଦୋପାଧ୍ୟାୟଙ୍କ ଜବାବକୁ ସମୀକ୍ଷା କରିବା ପରେ ଗୃହ ମନ୍ତ୍ରଣାଳୟ ଆଗାମୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ। ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ବନ୍ଦୋପାଧ୍ୟାୟଙ୍କ ସମସ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨୮ ତାରିଖରେ ‘ୟାସ’ ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। କିନ୍ତୁ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ବିଳମ୍ବରେ ପହଂଚିବା ସହ ଖୁବଶୀଘ୍ର ଚାଲି ଯାଇଥିଲେ। ଏହି ମାମଲାକୁ କେନ୍ଦ୍ର ସରକାର ଗମ୍ଭୀରତା ସହକାରେ ନେଇ ବନ୍ଦୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ଜବାବ ଜୁନ ୩ ତାରିଖ ସୁଦ୍ଧା ଦେବାକୁ କୁହାଯାଇଥିଲା। ଆଉ ବନ୍ଦୋପାଧ୍ୟାୟ ମଧ୍ୟ ଗୁରୁବାର ବିଳମ୍ବିତ ରାତିରେ ଜବାବ ପଠାଇ ଦେଇଛନ୍ତି।