ପାକିସ୍ତାନ ପ୍ରସ୍ତୁତକଲା କରୋନା ଟିକା ପାକ୍‌ଭ୍ୟାକ୍‌

ଇସଲାମାବାଦ,ଏଜେନ୍ସି: ପାକିସ୍ତାନ ଚୀନ୍ ସହଯୋଗରେ ଏକ କୋଭିଡ୍ ଟିକା ବିକଶିତ କରିଛି। ଏହାର ନାମ ପାକ୍‌ଭ୍ୟାକ୍ ରଖାଯାଇଛି। ଦେଶରେ କୋଭିଡ୍ ସଂକ୍ରମଣ ରୋକିବାରେ ଏହି ଟିକା ସହାୟକ ହେବ ବୋଲି ଦେଶର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସହାୟକ ଡକ୍ଟର ଫଇସଲ ସୁଲତାନ କହିଛନ୍ତି। ସେ ଏଠାରେ ଟିକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଆହୁରି କହିଛନ୍ତି, ଆଗାମୀ ଦିନରେ ଏହି ଟିକା ବିପୁଳ ପରିମାଣରେ ଉତ୍ପାଦନ କରାଯିବ। ଚୀନ୍ ଟିକା ଉତ୍ପାଦନ ପାଇଁ କଞ୍ଚାମାଲ ଯୋଗାଇ ଦେଉଛି। ଚୀନ୍ ତାହା ଯୋଗାଇ ନଥିଲେ ଟିକା ବିକଶିତ ହେବା ସହଜ ହୋଇନଥାନ୍ତା। ଏହି ଅବସରରେ ପାକିସ୍ତାନର ଜାତୀୟ କମାଣ୍ଡ ଓ ଅପରେସନ ସେଣ୍ଟରର ମୁଖ୍ୟ ଅସାଦ ଉମର କହିଛନ୍ତି, ଏହା ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ପ୍ରଥମଥର ଲାଗି କରୋନା ପଜିଟିଭିଟି ହାର ୪ ପ୍ରତିଶତ ହ୍ରାସ ପାଇବା ପରିପ୍ରେକ୍ଷୀରେ ଟିକା ବିକଶିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୭୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୯,୨୨,୮୨୪ ଜଣ ଆକ୍ରାନ୍ତ ହେଲେଣି ବୋଲି ଜାତୀୟ ସ୍ୱାସ୍ଥ୍ୟସେବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦେଶରେ କୋଭିଡ୍ ଟିକାକରଣ ମଧ୍ୟ ଚାଲିଛି। ଏପର୍ଯ୍ୟନ୍ତ ୫.୩ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କୁ ୭.୩ ନିୟୁତ ଡୋଜ୍ ଦିଆଗଲାଣି। ଏମାନଙ୍କ ମଧ୍ୟରୁ ୨ ନିୟୁତ ଲୋକ ଟିକାର ଦୁଇଟିଯାକ ଡୋଜ୍ ନେଇଛନ୍ତି।