ୟୁରୋପିଆନ୍ ସୁଟିଂ ଚାମ୍ପିଅନଶିପ୍‌, ପ୍ରଥମ ଦୁଇ ସ୍ଥାନରେ ମାନୁ ଓ ରାହି

ଓସିଜେକ୍‌, କ୍ରୋଏସିଆ,ଏଜେନ୍ସି: କ୍ରୋଏସିଆରେ ଚାଲିଥିବା ୟୁରୋପିଆନ୍ ସୁଟିଂ ଚାମ୍ପିଅନଶିପ୍‌ରେ ଭାରତୀୟ ସୁଟର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଆମନ୍ତ୍ରଣରେ ଏହି ଇଭେଣ୍ଟରେ ସାମିଲ ହୋଇଥିବା ୧୩ ଜଣିଆ ଅଲିମ୍ପିକ୍ସ ଯୋଗ୍ୟତା ହାସଲକାରୀ ସୁଟିଂ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବୁଧବାର ୨୫ ମିଟର ପିସ୍ତଲ ବର୍ଗରେ ଦୁଇ ଭାରତୀୟ ଖେଳାଳି ମାନୁ ଭାକେର ଏବଂ ରାହି ସର୍ଣ୍ଣୋବତ୍ ପ୍ରଥମ ଦୁଇ ସ୍ଥାନ ଅକ୍ତିଆର କରିଛନ୍ତି। ୨୫ ମିଟର ପିସ୍ତଲ ଇଭେଣ୍ଟରେ ଉଭୟ ଖେଳାଳି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଭାରତର ଏକ ନମ୍ବର ପିସ୍ତଲ ସୁଟର ଭାକେର ୫୮୭ ପଏଣ୍ଟ ସ୍କୋର ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଅପର ପକ୍ଷରେ ରାହି ସର୍ଣ୍ଣୋବତ ୫୮୪ ପଏଣ୍ଟ ସହିତ ଏମ୍‌କ୍ୟୁଏସ୍ ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସମସ୍ତ ଖେଳାଳିଙ୍କ ମଧ୍ୟରେ ମାନୁ ୪ର୍ଥ ଏବଂ ରାହି ଷଷ୍ଠ ସ୍ଥାନରେ ରହିଥିଲେ।

ରାପିଡ ଫାୟାର ରାଉଣ୍ଡରେ ଭାକେର୍ ଦୁଇଟି ପର୍ଫେକ୍ଟ ୧୦୦ର ସ୍କୋର ୨୯୬/୩୦୦ ସ୍କୋର କରିଥିଲେ। ଅପର ପକ୍ଷରେ ରାହି ସମାନ ରାଉଣ୍ଡରେ ୯୯, ୯୯ ଓ ୯୫ ସ୍କୋର କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ସମାପ୍ତ ହେବା ପରେ ୧୩ ଜଣିଆ ଭାରତୀୟ ସୁଟିଂ ଦଳ ଜୁନ୍ ୨୨ରୁ ହେବାକୁ ଥିବା ଆଇଏସଏସ୍‌ଏଫ୍ ସୁଟିଂ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ।