ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ନବରଙ୍ଗପୁର କୋଭିଡ ହସ୍ପିଟାଲ ପରିଦର୍ଶନ

ନବରଙ୍ଗପୁର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନବରଙ୍ଗପୁର ଗସ୍ତ କରି କୋଭିଡ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ସଂକ୍ରମଣ ହାର ୨୦ ପ୍ରତିଶତରୁ ହ୍ରାସ ପାଇ ବର୍ତ୍ତମାନ ୧୩ ପ୍ରତିଶତରେ ପହଂଚିଛି। ଆଗାମୀ ଦିନରେ ଆହୁରି କମିବ ବୋଲି ଆଶା କରାଯାଉଛି। ଅଳ୍ପଦିନ ମଧ୍ୟରେ ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ କେନ୍ଦ୍ର ଖୋଲାଯିବ। ଦିନକୁ ୬୦୦ ଟେଷ୍ଟିଂ କରାଯିବା ସହ ଆଉ ସାମ୍ପୁଲ ଅନ୍ୟ ଜିଲ୍ଲାକୁ ଯିବ ନାହିଁ। ଜିଲ୍ଲାକୁ ୧୮ ବର୍ଷରୁ ୪୪ ବର୍ଷର ଟିକା ୨୦ହଜାର ଆସିଥିଲା। ଆଉ ୧୦ ହଜାର ଟିକା ଖୁବଶୀଘ୍ର ପଠାଯିବ। ଫଳରେ ସହରରେ ସମସ୍ତେ ଟିକା ନେଇପାରିବେ। କୋଭିଡ ହସ୍ପିଟାଲରେ ଆଇସିୟୁ ଓ ଭେଣ୍ଟିଲେଟର ପୂର୍ବରୁ କାର୍ଯ୍ୟକ୍ଷମ କରାଯାଇଛି। ସମସ୍ତ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ କୋଭିଡ ହସ୍ପିଟାଲରେ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି। ଆଗାମୀ ୩ମାସ ମଧ୍ୟରେ ଏଠାରେ ଅକ୍ସିଜେନ ପ୍ଲାଣ୍ଟ ବସାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି କହିବା ସହ ୨ଶହ ଶଯ୍ୟାର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।