ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଜାରାଛାଟ ଗ୍ରାମରେ ଜଣେ କରୋନା ସଂକ୍ରମିତ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଜରାଛାଟ ଗ୍ରାମର କାନ୍ଦୁରୁ ପ୍ରଧାନ(୭୫) ଗତ ୨୩ ତାରିଖରେ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ କଣିହାଁ ଡାକ୍ତରଖାନାକୁ ଯାଇଥିବାବେଳେ ସେ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲା। ସେବେଠାରୁ କାନ୍ଦରୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜାଣିବା ପରଠାରୁ ସେ ମାନସିକ ଭାବେ ବିଚଳିତ ହୋଇ ପଡ଼ିଥିଲେ। ତେବେ ଗତକାଲି ରାତିରେ ପରିବାର ଲୋକେ ଖିଆପିଆ ସାରି ଶୋଇ ପଡ଼ିଥିବାବେଳେ କାନ୍ଦରୁ ପରିବାର ଲୋକଙ୍କ ଅଜାଣତରେ ଘରୁ ବାହାରି ଗାଁ ଜଙ୍ଗଲକୁ ଚାଲିଯାଇ ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପରିବାର ଲୋକେ କାନ୍ଦରୁଙ୍କୁ ଘରେ ନପାଇ ଖୋଜାଖୋଜି କରୁଥିବାବେଳେ ଗାଁର କେତେକ ବ୍ୟକ୍ତି କାନ୍ଦରୁଙ୍କ ମୃତଦେହ ଗାଁ ଜଙ୍ଗଲରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକଙ୍କଠାରୁ ସୂଚନା ପାଇ କୁଣ୍ଢେଇଗୋଳା ଥାନାଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।