ମାଙ୍କଡ଼ମାନଙ୍କୁ ଖାଦ୍ୟ ଯୋଗାଇଲେ ଭଞ୍ଜସେନା

ବାରିପଦା,ଏନ୍ଏନ୍ଏସ୍: କରୋନା ମହାମାରୀକୁ ନେଇ ମଠ ମନ୍ଦିରରେ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷରେ ସେବାୟତ, ପୂଜକ, ଶ୍ରଦ୍ଧାଳୁ ପ୍ରମୁଖଙ୍କ ସହ ପଶୁମାନଙ୍କ ଜୀବନ ଉପରେ ପ୍ରତିଫଳିତ ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାମନଘାଟିସ୍ଥିତ ମା ଦ୍ୱାରଶୁଣୀ ଠାକୁରାଣୀ ମନ୍ଦିର ନିକଟରେ ବସବାସ କରୁଥିବା ଶତାଧିକ ମାଙ୍କଡ଼ମାନଙ୍କ କ୍ଷେତ୍ରରେ।

ଦୈନିକ ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ମୋଟର ସହିତ ଭକ୍ତମାନେ ମା’ ଦ୍ୱାରଶୁଣୀ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ସେଠାରେ ବସବାସ କରୁଥିବା ଶତାଧିକ ମାଙ୍କଡ଼ମାନଙ୍କୁ କିଛି ନା କିଛି ଖାଇବାକୁ ଦେଉଥିଲେ। ମାତ୍ର କରୋନା କଟକଣା କାରଣରୁ ମା ଦ୍ୱାରଶୁଣୀ ଠାକୁରାଣୀ ମନ୍ଦିର ଭକ୍ତମାନଙ୍କ ପ୍ରବେଶ ନିଷେଧ କରାଯାଇଛି। ଫଳରେ ମାଙ୍କଡ଼ମାନେ ଖାଇବାକୁ ନପାଇ ଗଛର ଡାଳରେ ବସି ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ି ମୋଟରକୁ ଅନାଇ ରହିଥାନ୍ତି।

ଏହା ଜାଣିବା ପରେ ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ରାକେଶ ବେହେରା, ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ଼ ପ୍ରମୁଖ ବଜାରରୁ କଦଳୀ, ଆମ୍ବ, ମକା, ତରବୁଜ ଆଦି କିଣି ଏକ ଭଡ଼ା ଗାଡ଼ିରେ ଲଦି ପ୍ରାୟ ୪୦ କିମି ଦୂର ମା’ ଦ୍ୱାରଶୁଣୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ଗାଡ଼ିରେ ନେଇଯାଇଥିବା ସମସ୍ତ ଖାଦ୍ୟ ଦ୍ରବ୍ୟଗୁଡ଼ିକୁ ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଇଥିଲେ ଏବଂ ମାଙ୍କଡ଼ମାନେ ଗଛ ଡାଳରୁ ତଳକୁ ଉହ୍ଲାଇ ଆସି ମହାଆନନ୍ଦରେ ଖାଉଥିବାର ଦେଖି ଆତ୍ମସନ୍ତୋଷ ଲାଭ କରିଥିଲେ।