ଦାଦାବଟି ମାଗି ୪ ଗିରଫ, ମାଉଜର ଜବତ

କୋଟପାଡ,ଏନ୍ଏନ୍ଏସ୍: ପାଇପ୍ ଲାଇନ୍ କାର୍ଯ୍ୟ କରୁଥିବା ଏକ କମ୍ପାନୀକୁ ଦାଦାବଟି ମାଗି କୋଟପାଡ ପୁଲିସ ଦ୍ୱାରା ୪ ଜଣ ଗିରଫ ହୋଇଛନ୍ତି। ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଏକ ମାଉଜର ଜବତ ହୋଇଥିବା ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି। କୋଟପାଡ ବ୍ଲକ୍ କୁସୁମୀ ପଞ୍ଚାୟତରେ ଜେଏମସି ନାମକ ଠିକା କମ୍ପାନୀ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରୁଛି।

୨୬ ତାରିଖରେ ୭ ଜଣ ଯୁବକ କାର୍ଯ୍ୟ ସ୍ଥଳିରେ ପହଞ୍ଚି କମ୍ପାନୀ କର୍ମଚାରୀଙ୍କୁ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। କମ୍ପାନୀ କର୍ମଚାରୀ ଦାବି ଟଙ୍କା ଦେବାକୁ କହି କୌଶଳକ୍ରମେ ଜଣଙ୍କର ଫୋନ ନମ୍ବର ମାଗି ନେଇଥିଲେ ଓ କୋଟପାଡ ଥାନାରେ ଅଭିଯୋଗ କରିଥିଲେ। କୋଟପାଡ ଥାନା ଓ ଜୟପୁର ସଦର ଥାନା ପୁଲିସ ଉକ୍ତ ନମ୍ବରକୁ ଯାଞ୍ଚ କରିଥିଲେ। ନମ୍ବରଟି ଲାଠିଆଗୁଡା ଗ୍ରାମର ରୋମିଓ ହରିଜନ(୩୦)ର ବୋଲି ଜଣାପଡ଼ିଥିଲା।

କୋଟପାଡ ଥାନା ଅଧିକାରୀ ଶେଷଦେବ ବାରିକ ଏକ ଟିମକୁ ନେଇ ଲାଠିଆଗୁଡାରେ ପହଞ୍ଚି ରୋମିଓ ସମେତ ବଡ କାଉଡି ଗ୍ରାମର କର୍ଣ୍ଣ ହରିଜନ, ସେନାପତି ବାରିକ ଓ ରଞ୍ଜନ ସଗରିଆକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇପିସି ୩୮୭, ୫୦୬, ୫୦୭ ଓ ୩୪ରେ (କେସ୍ ନଂ-୮୯/୨୦୨୧)ରୁଜୁ କରିଛି ପୁଲିସ। ଏଥିସହିତ ଘଟଣାରେ ସମ୍ପୃକ୍ତ ଥିବା ଆଉ ୩ ଜଣ ଫେରାର ହୋଇଯାଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମାଉଜର ଓ ୪ଟି ବାଇକ ଜବତ ହୋଇଛି।