ନୂଆଦିଲ୍ଲୀ,ଏଜେନ୍ସି: ୟୁକେ ଗସ୍ତ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ସମସ୍ତ ସଦସ୍ୟ ପ୍ରଥମ ଡୋଜ୍ର କରୋନା ଟିକା ନେଇଛନ୍ତି। ଜୁନ୍ ୧୬ରେ ଇଂଲଣ୍ଡ ବିପକ୍ଷ ସିରିଜ୍ ଆରମ୍ଭ ହେଉଥିବା ବେଳେ ଜୁନ୍ ୨ରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ। ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇ ପକ୍ଷରୁ ମହିଳା ଦଳର ସମସ୍ତ ଖେଳାଳିଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। ମୁମ୍ବାଇରେ କ୍ୱାରେଣ୍ଟାଇନ୍ରେ ରହିଥିବା ସମସ୍ତ ଖେଳାଳିଙ୍କ ସମେତ ଟିମ୍ରେ ନଥିବା ଖେଳାଳି ମାନଙ୍କୁ ମଧ୍ୟ ଟିକା ଦିଆଯାଇଛି। ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ନିକଟତମ ସହରରେ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି।
ଶୁକ୍ରବାର ସ୍ପିନ୍ ବୋଲିଂ ଅଲରାଉଣ୍ଡର ଦୀପ୍ତି ଶର୍ମା ଟ୍ୱିଟରରେ ଟିକାକରଣର ଏକ ଫଟୋ ଶେୟାର କରିଛନ୍ତି। ‘ଛୁଞ୍ଚିକୁ ଡର ଲାଗୁଥିଲେ ହେଁ ମୁଁ ଆଜି ମୋର ପ୍ରଥମ ଡୋଜ୍ର କରୋନା ଟିକା ନେଇଛି। ଲୋକ ମାନେ ବିପୁଳ ଭାବରେ ନିଜକୁ ଟିକାକରଣରେ ସାମିଲ କରିବା ପାଇଁ ସେ ନିବେଦନ କରିଛନ୍ତି।’ ଏହା ସହିତ ନିଜର ଟିକାକରଣ ସମୟର ଏକ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ଦୀପ୍ତି। ୟୁକେ ଗସ୍ତରେ ଯିବାକୁ ଥିବା ସମସ୍ତ ଖେଳାଳିଙ୍କୁ କୋଭିସିଲ୍ଡ ଟିକା ପ୍ରଦାନ କରାଯାଇଛି। ଭାରତୀୟ ଖେଳାଳିଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ୟୁକେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯିବ।
ଭାରତୀୟ ମହିଳା ଦଳ ଏବଂ ପୁରୁଷ ଦଳ ଏକାଠି ଏକ ଚାର୍ଟର ବିମାନ ଜରିଆରେ ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତ କରିବେ। ଭାରତୀୟ ମହିଳା ଦଳ ଜୁନ୍ ୧୬ ତାରିଖରେ ବ୍ରିଷ୍ଟଲରେ ଏକମାତ୍ର ଟେଷ୍ଟ ଖେଳିବା ସହିତ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ମୁକାବିଲା ଖେଳିବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ସହିତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଶୁକ୍ରବାରର ଟିକାକରଣରେ ମିଥାଲି ରାଜ, ହରମନ୍ପ୍ରୀତ୍ କୌର୍ ଓ ସ୍ମୃତି ମନ୍ଧାନାଙ୍କ ସମେତ ୨୧ ଜଣ ମହିଳା ଖେଳାଳି ଟିକାକରଣରେ ସାମିଲ ହୋଇଥିଲେ।